ଓଡିଶା

୮ ବର୍ଷ ପରେ ଖୋଲିଲା ବାଇଶିପାହାଚ ଆନନ୍ଦବଜାର ଦ୍ବାର

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାର ବାଇଶିପାହାଚ ଦ୍ବାର  ଭକ୍ତ ଓ ସେବାୟତଙ୍କ ପାଇଁ  ଖୋଲା ଯାଇଛି।  ଯାହା ଭକ୍ତ ଓ ସେବାୟତଙ୍କ ମହାପ୍ରସାଦ ନେବା ଆଣିବା ବ୍ୟବସ୍ଥାକୁ ସହଜ କରିଛି। ପ୍ରଶାସନିକ ନିଷ୍ପତ୍ତିକ୍ରମେ ଗତ ୮ ବର୍ଷ ଧରି ତାଲା ପଡ଼ିରହିଥିବା ଏହି ଦ୍ବାରରୁ ଆଜି ତାଲା ଖୋଲାଯାଇଛି। ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ। ଶ୍ରୀମନ୍ଦିର ଆନନ୍ଦବଜାର ଆରମ୍ଭରୁ ରହିଥିଲା ଏହି ବାଇଶିପାହାଚ ଦ୍ବାର। ଯେଉଁ ଭକ୍ତମାନେ କେବଳ ମହାପ୍ରସାଦ ଆଣିବାକୁ ଯାଉଥିଲେ, ସେମାନେ ସିଂହଦ୍ବାର ବାଇଶିପାହାଚ ଦେଇ ପ୍ରବେଶ ବେଳେ ଭିତର ବେଢ଼ାକୁ ନ ଯାଇ ବାଇଶିପାହାଚରୁ ସିଧାସଳଖ ଆନନ୍ଦବଜାରକୁ ପ୍ରବେଶ କରୁଥିଲେ। ଫଳରେ ଶ୍ରୀମନ୍ଦିର ଭିତର ଭିଡ଼ ସେତେଟା ହେଉନଥିଲା। କିନ୍ତୁ ଧାଡ଼ି ଦର୍ଶନ ଆଳରେ ପୁଲିସ ପ୍ରଶାସନର ପରାମର୍ଶକ୍ରମେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ୨୦୧୮ ମସିହାରେ ଏହି ଦ୍ବାରରେ ତାଲା ପକାଇ ଦିଆଯାଇଥିଲା। ପରେ କେବଳ ସିଂହଦ୍ବାରରେ ଭକ୍ତଙ୍କୁ ଛଡ଼ାଯାଇଥିଲା। ଅନ୍ୟ ତିନିଦ୍ବାରରେ ଭକ୍ତଙ୍କୁ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା। ଏଣୁ ଯେଉଁ ଭକ୍ତମାନେ ମହାପ୍ରସାଦ ଆଣିବାକୁ ଯାଉଥିଲେ, ସେମାନଙ୍କୁ ଶ୍ରୀମନ୍ଦିର ଭିତର ବେଢ଼ାକୁ ଯାଇ ଆନନ୍ଦବଜାରକୁ ଯିବାକୁ ପଡ଼ୁଥିଲା। ନଚେତ ଦଲାଲଙ୍କ ଶୋଷଣର ଶିକାର ହେବାକୁ ପଡ଼ୁଥିଲା। ବହୁଦିନର ଦାବି ପରେ ଶେଷରେ ଗତକାଲି ଏହି ଦ୍ବାରକୁ ଖୋଲି ଦିଆଯାଇଛି।

Related posts

ବଡ଼ବିଲରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ‘ବିଶ୍ୱ ପରିବେଶ ଦିବସ

mahabharatanews

ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

mahabharatanews

ଗୁଣି ଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

mahabharatanews