ଇସଲାମିକ୍ ଗଣରାଜ୍ୟ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ସେୟଦ ମୋଜତାବା ଖାମେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଠାଇଥିବା ଇଦ୍ ଅଲ-ଆଧା ଶୁଭେଚ୍ଛା ବାର୍ତ୍ତା ପାଇଁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ସେ ଭାରତ ଓ ଇରାନ ମଧ୍ୟରେ ଦୀର୍ଘ ଦିନର ଐତିହାସିକ ବନ୍ଧୁତ୍ୱକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।
&imwidth=800&imheight=600&format=webp&quality=medium)
ମୋଜତାବା ଖାମେନି ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ଇଦ୍ ଅଲ-ଆଧା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା ବାର୍ତ୍ତା ପାଇ ସେ ଆନନ୍ଦିତ ହୋଇଛନ୍ତି। ପାରସ୍ପରିକ ସମ୍ମାନ ଓ ସମାନ ସ୍ୱାର୍ଥ ଆଧାରରେ ଉଭୟ ଦେଶର ସମ୍ପର୍କ ଭବିଷ୍ୟତରେ ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେହିପରି ଭାରତ ସରକାର ଓ ଭାରତର ଜନସାଧାରଣଙ୍କ ସମୃଦ୍ଧି ଏବଂ ନିରନ୍ତର ପ୍ରଗତି ପାଇଁ ସର୍ବଶକ୍ତିମାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ମୋଜତାବା ଖାମେନି ଇରାନର ନୂତନ ସର୍ବୋଚ୍ଚ ନେତା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ନେତା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ବାର୍ତ୍ତା ପଠାଇବାର ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ତେଣୁ ଏହି ବାର୍ତ୍ତାକୁ ଭାରତ-ଇରାନ କୂଟନୈତିକ ସମ୍ପର୍କ ଦୃଷ୍ଟିରୁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି।
