ବଙ୍ଗୋପସାଗରରେ ଆସୁଛି ବାତ୍ୟା । ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ଚଳିତ ମାସରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଭାରତୀୟ ପାଣିପାଗ ବିଭାଗ ପୁଣି ବାତ୍ୟା ଆକଳନ କରିବା ପରେ ଭୟ ବଢ଼ିଛି । ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆକଳନ ଚାଲିଥିବାବେଳେ ଏଥିଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ କହିଛି । ଆଇଏମ୍ଡିର ସୂଚନା ଅନୁଯାୟୀ, ମଲାକ୍କା ଷ୍ଟ୍ରେଟ୍ ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ରବିବାର ଏକ ସୁଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଯାହା ଆଜି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଆହୁରି ଆଗକୁ ବଢ଼ିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଅର୍ଥାତ୍ ୨୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।

ତେବେ ବାତ୍ୟାରେ ପରିଣତ ହେବା ପରେ ଏହା କେଉଁ ଆଡକୁ ମୁହାଁଇବ ଏବଂ ଏହାର ଦିଗ କ’ଣ ରହିବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ଅପରପକ୍ଷେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରୁଥିବା ବିଭିନ୍ନ ମଡେଲ ଅନୁଯାୟୀ, ୨୫ତାରିଖ ସନ୍ଧ୍ୟାରୁ ଉପକୂଳ ଅଞ୍ଚଳରେ ପବନର ବେଗ ବଢିବ । ଘଣ୍ଟାପ୍ରତି ବେଗ ୫୦ରୁ ୬୦ କି.ମି. ରହିବ । ସେହିପରି ୨୬ ତାରିଖ ସକାଳୁ ପବନର ବେଗ ୬୦ରୁ ୭୦ କି.ମି.ରେ ରହି ସର୍ବାଧିକ ୮୦ କି.ମି. ହେବ । ୨୭ ତାରିଖ ସକାଳୁ ପବନର ବେଗ ସର୍ବାଧିକ ୧୦୦ କି.ମି. ରହିପାରେ ବୋଲି ଆକଳନ କରାଯାଇଛି ।
)
