ଓଡିଶା

ରାଜଧାନୀ ବାସୀ ପାଇବେ ବିଶ୍ବସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା

ଭୁବନେଶ୍ୱରର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବାଲିଅନ୍ତା ଠାରେ ୩ଟି ନୂତନ ଗ୍ରୀଡ୍ ସବ୍‌ଷ୍ଟେସନ ଓ ୮ଟି ଗୁରୁତ୍ବପୂର୍ଣ୍ଣ ଟ୍ରାନ୍‌ସମିସନ ଲାଇନ୍  ଉଦ୍‌ଘାଟନ  କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି ୩ଟି ନୂତନ ଗ୍ରୀଡ୍ ସବ୍‌ଷ୍ଟେସନ – ବାଲିଅନ୍ତା, ସତ୍ୟନଗର, ଏବଂ କଟକର ଏସ୍‌.ସି.ବି. ମେଡିକାଲରେ ସ୍ଥାପନ କରାଯାଇଛି। ଯାହାଦ୍ୱାରା ଅଞ୍ଚଳର ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ଲାଭାନ୍ବିତ ହେବେ। ଏହା ସହିତ ଭୁବନେଶ୍ବରକୁ ଏକ ବିକଳ୍ପ ବିଦ୍ୟୁତ ଉତ୍ସ ସହିତ ସଂଯୋଗ ମଧ୍ୟ କରାଯାଇଛି। ଆଗାମୀ ଦିନରେ କଟକ ଓ ଭୁବନେଶ୍ବରକୁ ଏକାଧିକ ଫିଡର ଲାଇନ ଦ୍ବାରା ସଂଯୁକ୍ତ କରାଯିବ। ଏହାଦ୍ବାରା ରାଜଧାନୀବାସୀ ନିରନ୍ତର ଗୁଣାତ୍ମକ ବିଦ୍ୟୁତସେବା ପାଇପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ଗୁଡିକ ବହୁ ପୂର୍ବରୁ ମଞ୍ଜୁରୀ ପାଇଥିଲେ ମଧ୍ୟ କୋର୍ଟ କେସ୍ ଓ ବିଭିନ୍ନ ସମସ୍ୟା ଯୋଗୁ ଏ ଗୁଡିକର କାର୍ଯ୍ୟ ଆରମ୍ଭ ହୋଇପାରୁ ନଥିଲା। ନୂଆ ସରକାର ଦାୟିତ୍ବ ଗ୍ରହଣ କଲାପରେ, ଏହି ପ୍ରକଳ୍ପ ଉପରେ ଗୁରୁତ୍ବ ଦିଆଯାଇ ସମସ୍ତ ସମସ୍ୟାର ସମାଧାନ କରି ବର୍ଷକ ତଳେ କାମ ଆରମ୍ଭ ହୋଇଥିଲା। ମାତ୍ର ୧ ବର୍ଷ ମଧ୍ୟରେ OPTCL ପକ୍ଷରୁ ୪ଟି ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି। ଏଥି ମଧ୍ୟରୁ ନୟାପଲ୍ଲୀ ଗ୍ରୀଡ ଗତବର୍ଷ ଠାରୁ ବିଦ୍ୟୁତ ସେବା ଆରମ୍ଭ ହୋଇସାରିଛି। ରାଜଧାନୀ ବାସୀଙ୍କୁ ବିଶ୍ବସ୍ତରୀୟ ବିଦ୍ୟୁତସେବା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଦୃଢ ସଂକଳ୍ପ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଯେଉଁଠି ଦୃଢ ଇଛାଶକ୍ତି ଥାଏ, ସେଠାରେ ଅସମ୍ଭବ ସମ୍ଭବ ହୁଏ’। ସେଥିପାଇଁ ଆମେ ମାତ୍ର ୧ ବର୍ଷ ଭିତରେ ୪ଟି ଗ୍ରୀଡ ସବ୍‌-ଷ୍ଟେସନ କାମ ସମ୍ପୂର୍ଣ୍ଣ କରିପାରିଲୁ । ଭୁବନେଶ୍ୱରର ବିଦ୍ୟୁତ ଶକ୍ତି ଚାହିଦା ଦୁଇଗୁଣା ହେବ । ଯାହା ବର୍ତ୍ତମାନ ଏକ ହଜାର ମେଗାୱାଟ୍ ଅଛି ତାହା ୨୦୩୦ ସୁଦ୍ଧା ଦୁଇ ହଜାର ମେଗାୱାଟ୍‌ରେ ପହଁଚିବ । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜଧାନୀ ଭୁବନେଶ୍ୱରର ଭବିଷ୍ୟତ ବିକାଶକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ ଏବଂ ଆଧୁନିକ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଏହି ନୂତନ GIS ଗ୍ରୀଡ ସବଷ୍ଟେସନ ଓ ସଂଲଗ୍ନ ଟ୍ରାନ୍ସମିସନ ଲାଇନଗୁଡ଼ିକ ରାଜଧାନୀରେ ନିରବଚ୍ଛିନ୍ନ, ଉଚ୍ଚ ଗୁଣସ୍ତରୀୟ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ। ଏହା ଫଳରେ ଶିଳ୍ପ, ବ୍ୟବସାୟ, ଆଇଟି ଏବଂ ନଗରୀୟ ଜୀବନର ସମଗ୍ର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ।

Related posts

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ

mahabharatanews

ବାସୁଦେବପୁର ଯୁବ ଆର୍ଯ୍ୟ ସମାଜ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ

mahabharatanews

୪ ଦିନ ପରେ ଗଡ଼ିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌

mahabharatanews