ଓଡିଶା

ନୟାଗଡ଼ ASPଙ୍କ ବଦଳି ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି ଉଠିଛି ପ୍ରଶ୍ନ। ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ଅତିରିକ୍ତ ପୁଲିସ ଅଧୀକ୍ଷକ (ASP) ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତାଙ୍କର ତୁରନ୍ତ ବଦଳି ଦାବି କରିଛନ୍ତି ବିଜେପିର ବରିଷ୍ଠ ନାରୀ ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ। ଏନେଇ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ ଅଭିଯୋଗ କରିଛନ୍ତି ଯେ, ଉକ୍ତ ପୁଲିସ ଅଧିକାରୀ ନିରୀହ ଲୋକଙ୍କୁ ହଇରାଣ କରିବା, ବେଆଇନ ଭାବେ ଅର୍ଥ ଆଦାୟ କରିବା ଏବଂ ଅବୈଧ ଉପାୟରେ ସମ୍ପତ୍ତି ଅର୍ଜନ କରି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଭଳି ଗୁରୁତର ଅଭିଯୋଗ ରହିଛି। ଏପରି ଅଭିଯୋଗ ସତ୍ତ୍ୱେ ତାଙ୍କ ବିରୋଧରେ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ସେ ଉଲ୍ଲେଖ କରିଛନ୍ତି।

ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଜନସ୍ୱାର୍ଥ ଓ ନିରପେକ୍ଷ ପ୍ରଶାସନକୁ ଦୃଷ୍ଟିରେ ରଖି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ତୁରନ୍ତ ନୟାଗଡ଼ରୁ ବଦଳି କରାଯାଉ। ସେହିସହ ଜଣେ ସଚ୍ଚୋଟ, ଦକ୍ଷ ଓ ଜନବନ୍ଧୁ ପୁଲିସ ଅଧିକାରୀଙ୍କୁ ସେଠାରେ ନିଯୁକ୍ତ କରି ଜନସାଧାରଣଙ୍କ ବିଶ୍ୱାସ ପୁନଃ ପ୍ରତିଷ୍ଠା କରିବାକୁ ମଧ୍ୟ ଦାବି କରିଛନ୍ତି।

ଏହାଛଡ଼ା କିଛି ଦିନ ପୂର୍ବରୁ ରାଜ୍ୟ ମାନବାଧିକାର କମିଶନ ମଧ୍ୟ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା କଥା ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ନିରବ ରହିଥିବାରୁ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ। ଏବେ ଏହି ଅଭିଯୋଗ ଉପରେ ସରକାର କେଉଁ ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related posts

ରସୁଲପୁର ବ୍ଲକରେ ସେବା ସେତୁ ଶିବିର ଅନୁଷ୍ଠିତ

mahabharatanews

ସୋସିଆଲ ମିଡିଆ ପୋଷ୍ଟରେ ୪ ବିଧାୟକଙ୍କୁ ତାଲା

mahabharatanews

ପରୀ ହତ୍ୟାର ତଦନ୍ତ ପାଇଁ ଆଇପିଏସ ଅରୁଣଙ୍କ ନେତୃତ୍ୱରେ ଏସଆଇଟି ଟିମ ଗଠିତ

mahabharatanews