ଓଡିଶା

ଗଜପତି ଷ୍ଟାଡିୟମରେ ମହାସମାରୋହରେ ପାଳିତ ହେବ ୮୦ତମ ସ୍ୱାଧୀନତା ଦିବସ

ପାରଳାଖେମୁଣ୍ଡି : ଗଜପତି ଷ୍ଟାଡିୟମରେ ଚଳିତ ବର୍ଷର ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହେବ। ଏହି ଜାତୀୟ ଉତ୍ସବକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସ୍ୱାଧୀନତା ଦିବସରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜାତୀୟ ଉତ୍ସବ ପାଳନ ଦିନ ଭୋର ୪ଟା ୩୦ ମିନିଟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସହରରେ ରାମଧୂନ ପରିବେଷଣ କରାଯିବ। ସକାଳ ୬ଟାରେ ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯିବ।

ସେହିପରି ସମସ୍ତ ସରକାରୀ, ବେସରକାରୀ ଓ ଶିକ୍ଷାନୁଷ୍ଠାନରେ ସକାଳ ୭ଟାରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ସ୍ୱାଧୀନତା ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିସହ ସମସ୍ତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ୟାରେଡରେ ଅଂଶଗ୍ରହଣ କରିପାରିବେ। ଏଥିପାଇଁ ଅଗଷ୍ଟ ୧୧, ୧୨ ଓ ୧୩ ତାରିଖରେ ଗଜପତି ଷ୍ଟାଡିୟମରେ ପ୍ୟାରେଡ୍ ଅଭ୍ୟାସ ଅନୁଷ୍ଠିତ ହେବ। ମୁଖ୍ୟ ଉତ୍ସବ ଦିନ ସକାଳ ୯ଟା ୧୫ ମିନିଟରେ ଗଜପତି ଷ୍ଟାଡିୟମରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ଏହାପରେ ମୁଖ୍ୟ ଅତିଥି ସମବେତ ପ୍ୟାରେଡର ଅଭିବାଦନ ଗ୍ରହଣ କରିବା ସହ ଅଭିଭାଷଣ ପ୍ରଦାନ କରିବେ।

ପ୍ୟାରେଡ୍ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଦଳକୁ ସିଲ୍ଡ ପ୍ରଦାନ କରାଯିବ। ଏଥିସହ ଅନ୍ୟାନ୍ୟ କୃତିତ୍ୱ ହାସଲ କରିଥିବା ଦଳଗୁଡ଼ିକୁ ମେମୋରିଆଲ୍ ସିଲ୍ଡ ପ୍ରଦାନ କରାଯିବ। ଜିଲ୍ଲାର ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଖେଳାଳି ଏବଂ ଚଳିତ ବର୍ଷ ଦଶମ ଶ୍ରେଣୀରେ A1 ଗ୍ରେଡ୍ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ମୁଖ୍ୟ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ।

ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ବାଗ, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ମାଧବାନନ୍ଦ ନାୟକ, ଆରଆଇ ଅଫ୍ ପୋଲିସ ଶ୍ରୀ ଅଭିରାମ ଖୁଣ୍ଟିଆ, ଏସଆଇ ଶ୍ରୀ ଖୁସିରାମ ଭଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ ଗୁରୁମାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୁରୁ ରଘୁନାଥ ପାତ୍ର, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏଥିସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଗଣମାଧ୍ୟମ ପ୍ରତିନିଧି, ବ୍ୟାଙ୍କ ଶାଖା ପରିଚାଳକ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନେ ବୈଠକରେ ଯୋଗଦେଇ ସ୍ୱାଧୀନତା ଦିବସକୁ ସଫଳ ଓ ଶୃଙ୍ଖଳିତ ଭାବେ ପାଳନ କରିବା ନେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

 

Related posts

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

mahabharatanews

ଯାଜପୁରରେ ଜନବସିତି ମୁହାଁ ଭାଲୁ

mahabharatanews

୨୯ରୁ ଶୁଳିଆ ମହୋତ୍ସବ

mahabharatanews