ଓଡିଶା

ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଭବ୍ୟ ଉଦଘାଟନ

ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଓଡ଼ିଶାରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ (JKU) ର ଏକ ଭବ୍ୟ ଏବଂ ଐତିହାସିକ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ। ଜଗଦଗୁରୁ କୃପାଳୁ ଯୋଗ ଏବଂ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ସମସ୍ତ ସଦସ୍ୟଙ୍କ ପକ୍ଷରୁ ଏହି ଐତିହାସିକ ଅବସରରେ ମାନ୍ୟବର ରାଷ୍ଟ୍ରପତି ଏବଂ ସମସ୍ତ ବିଶିଷ୍ଟ ଅତିଥିମାନଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି।

ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ଦ୍ୱାରା ପ୍ରଶାସନିକ ଭବନରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ମାନ୍ୟବର ରାଷ୍ଟ୍ରପତି ଫିତା କାଟି ଏବଂ ଫଳକ ଉନ୍ମୋଚନ କରି କ୍ୟାମ୍ପସର ଶୁଭାରମ୍ଭ କରିଥିଲେ। ଭାରତୀୟ ପରମ୍ପରାକୁ ସମ୍ମାନ ଜଣାଇ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ସ୍ୱାମୀ ମୁକୁନ୍ଦାନନ୍ଦ ମିଳିତ ଭାବେ ଏକ ପବିତ୍ର ପିପଳ ସାପ୍‌ଲିଂ ରୋପଣ କରିଥିଲେ। ଏହାପରେ ବିଶ୍ୱବିଦ୍ୟାଳୟର ପ୍ରେରଣାସ୍ତ୍ରୋତ ଜଗଦଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ଅତିଥିମାନଙ୍କୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ଏକ ସୁନ୍ଦର ତିମୂର୍ତ୍ତି ଏବଂ ବିଶ୍ୱବିଦ୍ୟାଳୟର ସ୍ମାରକୀ ମୁଦ୍ରା ପ୍ରଦାନ କରାଯାଇଥିଲା।

ମୁଖ୍ୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାକୁ ଓଡ଼ିଶାରେ ଉଚ୍ଚଶିକ୍ଷା ପାଇଁ ଏକ ପରିବର୍ତ୍ତନକାରୀ ଯାତ୍ରା ବୋଲି ବର୍ଣ୍ଣନା କରି କହିଥିଲେ ଯେ ଏଠାରେ କୃତ୍ରିମ ପ୍ରଜ୍ଞା, ସାଇବର ସୁରକ୍ଷା, ସ୍ୱାସ୍ଥ୍ୟ ବିଜ୍ଞାନ ଓ ପରିଚାଳନା ଭଳି ଆଧୁନିକ ବିଷୟ ସହ ଆଧ୍ୟାତ୍ମିକ ମୂଲ୍ୟବୋଧ ଶିକ୍ଷା ଦିଆଯିବ। ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ମତ ଦେଇଥିଲେ ଯେ ପ୍ରକୃତ ଶିକ୍ଷା କେବଳ ଡିଗ୍ରୀ ଦେଇ ନଥାଏ, ବରଂ ବୁଦ୍ଧିମତ୍ତା, ସଚ୍ଚୋଟତା ଏବଂ ସେବାଭାବ ଜାଗ୍ରତ କରିଥାଏ।

ଉଦଘାଟନୀ ସମାରୋହର ମୁଖ୍ୟ ଆକର୍ଷଣ ଥିଲା ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରେରଣାଦାୟୀ ଅଭିଭାଷଣ। ସେ ଆଶା ପ୍ରକାଶ କରିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ପ୍ରାଚୀନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ସହିତ ଆଧୁନିକ ଶିକ୍ଷାର ସମନ୍ୱୟ ଘଟାଇ ସମାଜ ଏବଂ ଦେଶର ସେବାରେ ନିଜକୁ ନିୟୋଜିତ କରିବ ଏବଂ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନରେ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିବ। ଏହି ଐତିହାସିକ ଉତ୍ସବରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଜନପ୍ରତିନିଧି ଏବଂ ଭକ୍ତମାନେ ଉପସ୍ଥିତ ରହି ଏହି ଅବସରକୁ ସ୍ମରଣୀୟ କରିଥିଲେ।

 

Related posts

ପୁଣି ଏକା ଏକା ଡିମ୍ପଲ 

mahabharatanews

ଘରଛାଡି ଆସି କଲଭର୍ଟ ତଳେ ଆଶ୍ରୟ ନେଲେ ବ୍ୟକ୍ତି

mahabharatanews

ମୃତ ବ୍ୟକ୍ତିଙ୍କ ନାମରେ ଧାନ ବିକୁଛି ଦଲାଲ

mahabharatanews