ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳର ହାଣ୍ଡିଫୁଟା ଛକ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୭ଟି ବଳଦର ମୃତ୍ୟୁ ଘଟିଛି। ଭୋର ପ୍ରାୟ ୩ଟା ସମୟରେ ଠାକୁରମୁଣ୍ଡା ପୋଲିସ ପକ୍ଷରୁ ଅଞ୍ଚଳରେ ପେଟ୍ରୋଲିଂ ଚାଲିଥିଲା। ଏହି ସମୟରେ ପୋଲିସକୁ ଦେଖି ଗୋରୁ ବୋଝେଇ ଗାଡ଼ିର ଚାଳକ ଦ୍ରୁତ ଗତିରେ ଗାଡ଼ି ଚଳାଇ ଚାଲିଯିବାକୁ ଉଦ୍ୟମ କରିଥିବା ବେଳେ। ଦ୍ରୁତ ଗତି ଯୋଗୁଁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା।

ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ମହିନ୍ଦ୍ରା ବିରୋ ବୋଲି ଜଣାପଡ଼ିଥିବା ବେଳେ ଗାଡ଼ିରେ ମୋଟ ୧୫ଟି ବଳଦ ରହିଥିଲା। ଅନ୍ୟ ବଳଦଗୁଡ଼ିକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଘଟଣା ପରେ ଗାଡ଼ିର ଚାଳକ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପରେ ଠାକୁରମୁଣ୍ଡା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ବଳଦଗୁଡ଼ିକୁ ଠାକୁରମୁଣ୍ଡା ଥାନାକୁ ଆଣି ରଖିଛି।

ମୃତ ବଳଦଗୁଡ଼ିକୁ ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀଙ୍କ ତତ୍ତ୍ୱାବଧାନରେ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଜେସିବି ମେସିନ୍ ସହାୟତାରେ ପୋତି ଦିଆଯାଇଥିଲା। ଘଟଣାସ୍ଥଳରେ ଠାକୁରମୁଣ୍ଡା ଭାର୍ମ୍ୟମାଣ ପଶୁଚିକିତ୍ସା ୟୁନିଟ୍ ର ଡାକ୍ତର ପ୍ରୀତିରଞ୍ଜନ ସାହୁ ଉପସ୍ଥିତ ରହି ଉଦ୍ଧାର ହୋଇଥିବା ପଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଖବର ପାଇ ଠାକୁରମୁଣ୍ଡା ଥାନା ଆଇଆଇସି ଶରତ ଚନ୍ଦ୍ର ମହାଳିକ, ଏଏସଆଇ ଅମରେନ୍ଦ୍ର ବାରିକଙ୍କ ସମେତ ଥାନାର କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ କରି ମାମଲା ରୁଜୁ କରିଛି। ପୋଲିସ ତଦନ୍ତ ପରେ ଏହାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।
