ପଶ୍ଚିମବଙ୍ଗ ବିଧାନସଭା ଉପ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଶକ୍ତ ଝଟକା। ମମତା ପ୍ରତିଷ୍ଠା କରିଥିବା ତୃଣମୂଳ କଂଗ୍ରେସ ବା ଟିଏମସିର ଦଳୀୟ ଚିହ୍ନ ଓ ନାଁକୁ ଫ୍ରିଜ କରି ଦେଇଛନ୍ତି ନିର୍ବାଚନ କମିଶନ। ଆସନ୍ତା ଅକ୍ଟୋବର ୬ ତାରିଖରେ ହେବାକୁ ଥିବା ନନ୍ଦୀଗ୍ରାମ ଏବଂ ରେଜିନଗର ବିଧାନସଭା ଉପ-ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ‘ସର୍ବଭାରତୀୟ ତୃଣମୂଳ କଂଗ୍ରେସ’ର ନାଁ ଏବଂ ଏହାର ‘ଘାସ ଓ ଫୁଲ’ ସିମ୍ବଲକୁ ସ୍ଥଗିତ କରିଦେଇଛନ୍ତି।

ଦୁଇ ଗୋଷ୍ଠୀଙ୍କୁ ନିର୍ବାଚନ କମିଶନ ନୂଆ ଦଳ ଓ ଚିହ୍ନ ପାଇଁ ୩ଟି ବିକଳ୍ପ ବାଛିବାକୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି। ସେପ୍ଟେମ୍ବର ୧୮ ତାରିଖ ଦିନ ୧୧ଟା ସୁଦ୍ଧା ନୂଆ ଦଳୀୟ ନାଁ ଓ ଚିହ୍ନ ପାଇଁ ଦୁଇ ଗୋଷ୍ଠୀଙ୍କୁ ଆବେଦନ କରିବାକୁ ପଡ଼ିବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରାଜୟ ପରେ ଟିଏମସିରେ ଦଳୀୟ କନ୍ଦଳ ତୀବ୍ର ହୋଇଛି। ଟିଏମସି ଏବେ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛି । ଗୋଟିଏ ପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଥିବାବେଳେ ଅନ୍ୟପଟେ ରିତବ୍ରତ ବାନାର୍ଜୀ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ।

ଉପନିର୍ବାଚନରେ ଦଳର କୌଣସି ବି ଗୋଷ୍ଠୀ ଦଳୀୟ ନାମ କିମ୍ବା ସଂକେତ ବ୍ୟବହାର କରିପାରିବେ ନାହିଁ । ଉଭୟ ପକ୍ଷକୁ ନିର୍ବାଚନରେ ସମାନ ସୁଯୋଗ ଦେବା ପାଇଁ ଏହି ସ୍ଥଗିତାଦେଶ ଜାରି କରାଯାଇଛି। ଏହାସହ ତିନୋଟି ପସନ୍ଦର ନୂଆ ନାମ ଏବଂ ମୁକ୍ତ ଚିହ୍ନର ତାଲିକା କମିଶନଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ତେବେ ଉଭୟ ଗୋଷ୍ଠୀ ନିଜର ନୂଆ ନାମରେ ମୂଳ ପାର୍ଟି ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ଶବ୍ଦକୁ ଯୋଡ଼ି ବ୍ୟବହାର କରିପାରିବେ।
