କମିଶନରେଟ୍ ପୋଲିସରେ ବଦଳି ନିୟମକୁ ନେଇ ଏବେ ପ୍ରଶ୍ନ ଉଠିଛି। ନିୟମ ଅନୁସାରେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟକାଳ ନିର୍ଦ୍ଦିଷ୍ଟ ରହିଥିଲେ ମଧ୍ୟ କିଛି କର୍ମଚାରୀ ଗୋଟିଏ ସ୍ଥାନରେ ବର୍ଷ ବର୍ଷ ଧରି ରହିଥିବା ଅଭିଯୋଗ ରହିଛି। ଏପରିକି କେତେକ କର୍ମଚାରୀ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି।
ପୋଲିସ ବିଭାଗରେ କର୍ମଚାରୀଙ୍କ ବଦଳି ଏକ ନିୟମିତ ପ୍ରକ୍ରିୟା। ଏହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ରହିବା ସହ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହୋଇଥାଏ। ହେଲେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟ କରିବା ଫଳରେ ବଦଳି ନିୟମର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠୁଛି।
ବିଭିନ୍ନ ଥାନା ଓ ପୋଲିସ ୟୁନିଟ୍ରେ ଦୀର୍ଘ ବର୍ଷ ଧରି ରହିଥିବା କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନିୟମ କେତେଦୂର ପାଳନ ହେଉଛି, ତାହା ଏବେ ଆଲୋଚନାର ବିଷୟ ପାଲଟିଛି। ତେଣୁ ଏ ଦିଗରେ ପୋଲିସ ବିଭାଗର ଉଚ୍ଚ ଅଧିକାରୀମାନେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।
