କଟକ ଜିଲ୍ଲା କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗାନ୍ଧୀ ଛକରେ ଜାତିର ଜନକ ମହାତ୍ମାଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଗାନ୍ଧିଜୀଙ୍କ ନିତି, ଆଦର୍ଶ ଓ ବିଚାର ଧାରା ବିଶ୍ୱକୁ ମାନବିକତାର ଗୁରୁ ମନ୍ତ୍ରରେ ଅଭିମନ୍ତ୍ରିତ କରିପାରିଛି l ଆଜିର ଯୁବ ସମାଜ ସତ୍ୟ ନ୍ୟାୟ ଓ ସଦଭାବନା ପ୍ରତିଷ୍ଠା କ୍ଷେତ୍ରରେ ନିଜକୁ ସମର୍ପିତ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଆହ୍ୱାନ ଦେଇଥିଲେ l
ଗାନ୍ଧୀ ବିଚାର ମଞ୍ଚର ସଭାପତି ସାହିତ୍ୟିକ ଡକ୍ଟର ଅଖିଳେଶ ପଦ ମହାନ୍ତିଙ୍କ ପୌରହୀତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ବୀର ଯବାନ, ଅବସରପ୍ରାପ୍ତ ପୋଲିସ ଅଧିକାରୀ,ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ କିଶୋର ଚନ୍ଦ୍ର ଦାଶ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ଶିକ୍ଷକ ନଗେନ ବେହୁରା, ବଜାର କମିଟି ଉପସଭାପତି ଅଫସର ତୁଲ୍ଲା ପ୍ରମୁଖ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l
