ଓଡିଶା

ଆଧାର ଲିଙ୍କ୍‌ : ଡାକସେବାରେ ଓଡ଼ିଶା ଦ୍ବିତୀୟ

ଭୁବନେଶ୍ବର : ବ୍ୟାଙ୍କିଂ ସେବାର ବିକଳ୍ପ ଭାବେ ଆଧାର ଲିଙ୍କ ଡାକ ସେବା ଉଭା ହୋଇଛି। କରୋନା ଲକ୍ ଡାଉନବେଳେ ଡାକସେବା ରାଜ୍ୟବାସୀଙ୍କ ହୃଦୟ ଜିଣିଛି। ଇତିମଧ୍ୟରେ ୧ଲକ୍ଷ ୯୬ ହଜାର ହିତାଧିକାରୀଙ୍କ ନିକଟରେ ଡାକସେବା ପହଞ୍ଚି ସାରିଲାଣି। ଡାକସେବାର ଏହି କାର୍ୟ୍ୟ ଯୋଗୁଁ ଓଡ଼ିଶା ଏବେ ସର୍ବଭାରତୀୟସ୍ତରରେ ଦ୍ବିତୀୟସ୍ଥାନ ଅକ୍ତିଆର କରିଛି ବୋଲି ଅର୍ଥବିଭାଗ ପକ୍ଷରୁ ଜଣାଯାଇଛି।
ସୂଚନା ଅନୁଯାୟୀ ମାର୍ଚ୍ଚ ୨୫ରୁ ଭାରତ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା ହେବା ପରେ ଲୋକଙ୍କୁ କିଭଳି ହାତପାଆନ୍ତାରେ ଅର୍ଥ ମିଳିବ ସେନେଇ ଡାକସେବାକୁ ସାମିଲ କରାଯାଇଥିଲା। ସାଧାରଣ ଲୋକେ ପାସବୁକ୍ ଝମେଲାରୁ ନିସ୍ତାର ପାଇବା ସହିତ ଯେଉଁମାନେ ଖାଲି ହାତରେ ଆସିବେ ସେମାନଙ୍କୁ କିଭଳି ଟଙ୍କା ମିଳିପାରିବ ସେନେଇ ଆଧାର ଲିଙ୍କ ଡାକସେବାକୁ ଗୁରୁତ୍ବ ଦିଆଯାଇଥିଲା। ଏହାଦ୍ବାରା ଯେଉଁମାନେ ଏଇପିଏସରେ ଅଙ୍ଗୁଳି ଛାପ ଦେବେ ସେମାନଙ୍କୁ ୫ହଜାର ପର୍ୟ୍ୟନ୍ତ ଟଙ୍କା ଦିଆଯାଇପାରିବ ବୋଲି ଅର୍ଥ ବିଭାଗ ପକ୍ଷରୁ ପୋଷ୍ଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା। ତେବେ ଚଳିତମାସ ୨୦ ତାରିଖ ସୁଦ୍ଧା ଯେଉଁ ରିପୋର୍ଟ ଆସିଛି ସେଥିରେ ଜାତୀୟସ୍ତରରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ରହିଥିବାବେଳେ ଓଡ଼ିଶା ଦ୍ବିତୀୟସ୍ଥାନରେ ରହିଛି। ରାଜ୍ୟରେ ୧୫୨୫୮ଟି ସର୍କଲ ମାଧ୍ୟମରେ ପ୍ରାୟ ୧ଲକ୍ଷ ୯୬ ହଜାର ହିତାଧିକାରୀଙ୍କ ନିକଟରେ ଡାକସେବା ପହଞ୍ଚିଛି। ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏହା ବହୁ ଉପଯୋଗୀ ହୋଇପାରିଛି।
କରୋନା ମହାମାରୀ ପାଇଁ ଏବେ ରାଜ୍ୟରେ ଦିନକୁ ଦିନ ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୪ ଲକ୍ଷ ପ୍ରବାସୀ ଓଡ଼ିଶାକୁ ଫେରିସାରିଲେଣି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଏବେ ଅନ୍ୟ ରାଜ୍ୟରେ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଏବେ ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ୪୯୨୭ଟିରେ କୌଣସି ବ୍ୟାଙ୍କ ନାହିଁ। ଏହାବାଦ୍ ରାଜ୍ୟର ଅନ୍ୟ କେତେକ ଦୁର୍ଗମ ଅଞ୍ଚଳରେ ନେଟ ତଥା ଅନଲାଇନ ବ୍ୟବସ୍ଥା ଠିକ୍ ଭାବେ ନଥିବାରୁ ଲୋକେ ବ୍ୟାଙ୍କରେ ଟଙ୍କା ନେଣଦେଣରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ରାଜ୍ୟରେ ପ୍ରାୟ ୧କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଆକାଉଣ୍ଟକୁ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ରିଆତି ଅର୍ଥ ଆସୁଛି। ତାହାକୁ ଲୋକେ କିଭଳି ଠିକଣା ଭାବେ ପାଇପାରିବେ ସେନେଇ ଅର୍ଥ ବିଭାଗ ଏହି ନିଷ୍ପତ୍ତି ନେଇଥିଲା। ରାଜ୍ୟର ୪୯୨୭ ପଞ୍ଚାୟତରେ ବ୍ୟାଙ୍କିଂ ସେବା ପହଞ୍ଚାଇବାରେ ଡାକସେବା ସମର୍ଥ ହୋଇଛି। ଡାକସେବାର ଭୂମିକାକୁ ଅପହଞ୍ଚ ଇଲାକା ଓ ବ୍ୟାଙ୍କ ନଥିବା ପଞ୍ଚାୟତରେ ବହୁ ପ୍ରଶଂସା ମିଳୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Related posts

ରଥଯାତ୍ରା: ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ୱୟ ବୈଠକ

mahabharatanews

ଅଜଣା ଗାଡି ଧକ୍କାରେ ୧୨ ବସ୍ ଯାତ୍ରୀ ଆହତ

mahabharatanews

ଓଡ଼ିଶା ଗୃହ ନିର୍ମାଣ ସମବାୟ ସମିତିର ନିର୍ଦେଶିକା ଭାବେ ଶୁଚିଶ୍ମିତା ପଟ୍ଟନାୟକ ନିର୍ଦ୍ଵନ୍ଦରେ ନିର୍ବାଚିତ

mahabharatanews

Leave a Comment