ଓଡିଶା

ସାବେରୀ ନଦୀର ପ୍ରଖର ସ୍ରୋତରେ ୨୦ ଘଣ୍ଟା ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କଲେ ବାୟୁବୀର

ମାଲକାନଗିରି:- ଦେବଦୂତ ସାଜି ନଦୀ ମଧ୍ୟରୁ ଯୁବକଙ୍କୁ ଉଦ୍ଧାର କଲେ ବାୟୁବୀର । ସାବେରୀ ନଦୀର ପ୍ରଖର ସ୍ରୋତରେ ୨୦ ଘଣ୍ଟା ଫସି ରହିବା ପରେ ହେଲିକପ୍ଟରରେ ଉଦ୍ଧାର କରାଗଲା ଯୁବକଙ୍କୁ । ସୁକୁମା ପ୍ରଶାସନ ପକ୍ଷରୁ କୋତାମାଟେରୁ ଗାଁର ଯୁବକ ଇର୍ମା ସୋଡିଙ୍କୁ ଉଦ୍ଧାର କଲା ସିଆରପିଏଫ୍ ।

ତେବେ ଇର୍ମା ଦିନ ମଜୁରିଆ କାମ ପାଇଁ ଛତିଶଗଡ଼ର ସୁକମା ଜିଲ୍ଲାର ତେଲାୱର୍ତ୍ତି ଗାଁକୁ ଯାଇଥିଲେ ଓ ଏକ କାଠ ଡଙ୍ଗା ସାହାଯ୍ୟରେ ଘରକୁ ଫେରୁଥିବା ସମୟରେ ଡଙ୍ଗାଟି ଅଧିକ ଜଳ ସ୍ରୋତରେ ମଝି ନଈରେ ଓଲଟି ପଡ଼ିଥିଲା । ଫଳରେ ସେ ରାତିସାରା ଏକ ବୁଡ଼ି ରହିଥିବା ଗଛ ଡାଳକୁ ଧରି ରହିଥିଲେ । ପରେ ନିକଟରେ ଥିବା ଏକ ପଥର ଉପରକୁ ଚଢ଼ି ଯାଇଥିଲେ ।ସକାଳୁ ସ୍ଥାନୀୟ ଲୋକେ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ମାଲକାନଗିରି ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଛତିଶଗଡ଼ର ସୁକମା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ମାଲକାନଗିରି କିମ୍ବା ସୁକମାର ଅଗ୍ନିଶମ କର୍ମଚାରୀ ନଦୀରେ ଓହ୍ଲାଇବାକୁ ଭୟ କରିଥିଲେ । ବୋଟ ମଧ୍ୟ ପାଣିକୁ ଯାଇପାରିନଥିଲା । ସାବେରୀ ନଦୀ ପ୍ରାୟ ଅଧ କିଲୋମିଟର ଥିବା ବେଳେ ପାଣିର ସ୍ରୋତ କ୍ଷୀପ୍ର ଥିଲା । ପରେ ଘଟଣା ସମ୍ପର୍କରେ ସୂଚନା ପାଇ ବିଧାୟକ ନରସିଂହ ମାଡ଼କାମି ରାଜ୍ୟ ସରକାରଙ୍କ ମାଧ୍ୟମରେ ହେଲିକପ୍ଟର ବ୍ୟବସ୍ଥା କରିବା ପାଇଁ ଛତିଶଗଡ଼ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ । ପରିଶେଷରେ ଭାରତୀୟ ବାୟୁସେନାର ହେଲିକପ୍ଟର ଜଗଦଲପୁରରୁ ଘଟଣାସ୍ଥଳରେ ପହଞ୍ଚି ଇର୍ମାଙ୍କୁ ସଫଳତାର ସହ ସେଠାରୁ ଉଦ୍ଧାର କରିଥିଲା ଓ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Related posts

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍ଜା ସ୍ମରଣିକା ଉନ୍ମୋଚିତ

mahabharatanews

ଚାକିରୀ ନାଁରେ ଠକୁଥିଲେ ଦମ୍ପତି

mahabharatanews

ଗୋଷ୍ଠୀ ସଂଘର୍ଷ ନ ହେବା ପାଇଁ ୧୪୪ ଧାରା

mahabharatanews