କଳାହାଣ୍ଡି: ସ୍କୁଲ ଛାତ୍ରଛାତ୍ରୀଙ୍କ ପୋଷାକ କିଣାକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଛାତ୍ରଛାତ୍ରୀଙ୍କ ପୋଷାକ କିଣାରେ ବ୍ୟାପକ ଫିକ୍ସିଂ ହେଉଥିବା ଅଭିଯୋଗ ସାମନାକୁ ଆସିଛି । ଏହାପରେ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଏହି ଘଟରାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଏକ ଘଟଣା ସାମନାକୁ ଆସିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରୁ । ଏଠାରେ ପୋଷାକ ନିମ୍ନ ମାନର ଦର୍ଶାଇ ଚୟନ କମିଟି ପ୍ରତ୍ୟେକ ସ୍କୁଲ ଯାଞ୍ଚ କରିବା ପାଇଁ ନିଷ୍ପତ୍ତି ନେଇଛି ।
ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ହଳେ ଯୋତା ଏବଂ ଦୁଇ ହଳ ପୋଷାକ ବାବଦକୁ ପତ୍ୟେକ ପିଲା ପିଛା ୬୦୦ ଟଙ୍କା ଲେଖାଏଁ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏହାର କ୍ରୟ ପାଇଁ ଟେଣ୍ଡର କରିବ ସ୍କୁଲ କମିଟିି । ଅନ୍ୟୁନ ତିନୋଟି ଦୋକାନରୁ ପୋଷାକ ଦର ଗ୍ରହଣ ପରେ ଯାଞ୍ଚ କମିଟି ଏହାର ତଦାରଖ କରିବ । ଏହା ପରେ ଏସବୁ ଚୟନ କରାଯିବ ବୋଲି ରହିଛି ଗାଇଡଲାଇନ । କିନ୍ତୁ ଏହାର ଉଲ୍ଲଙ୍ଘନ କରି ଦୁଇ ବର୍ଷ ହେଲା ନିର୍ଦ୍ଦିଷ୍ଟ ବ୍ୟବସାୟୀ ବ୍ଲକ ଅନୁଯାୟୀ ବଣ୍ଟନ କରାଯାଇଛି । ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ତିନୋଟି ଦୋକାନର କୋଟେସନ ସମାନ ରହିଛି । ଏହି ଘଟଣାର ଅଭିଯୋଗ ପାଇବା ପରେ ଜିଲ୍ଲାର ଗତ ଦୁଇ ବର୍ଷର ପୋଷାକ ବଣ୍ଟନ ତାଲିକା ଶିକ୍ଷା ବିଭାଗକୁ ମାଗିଛନ୍ତି ଗଣଶିକ୍ଷା ସଚିବ ।
ପୋଷାକ ବଣ୍ଟନ ପାଇଁ ପ୍ରତ୍ୟେକ ବର୍ଷ ଜିଲ୍ଲାକୁ କୋଟି କୋଟି ଟଙ୍କା ଆସୁଛି । ଏହାକୁ ଫିକ୍ସିଂରେ ମୋଟା ଅଙ୍କର ପିସି ଆଦାୟ ହୋଇଥାଏ । ଏଣୁ ଶିକ୍ଷା ବିଭାଗର ନିର୍ଦ୍ଦେଶରେ ହଁ ନିର୍ଦ୍ଦିଷ୍ଟ ବ୍ୟବସାୟୀ ନିର୍ଦ୍ଦିଷ୍ଟ ବ୍ଲକରେ ପୋଷାକ ବଣ୍ଟନ କରୁଛନ୍ତି । ଏହାକୁ ନେଇ ପୁର୍ବରୁ ଅଭିଯୋଗ ହୋଇଆସୁଛି । ଭିଜିଲାନ୍ସ ତଦନ୍ତ ଠାରୁ ଜିଲ୍ଲାପାଳ ସ୍ତରରୁ ବିଭିନ୍ନ ନିୟମ ଲାଗୁ କରାଯାଉଥିଲେ ହେଁ ପ୍ରତ୍ୟେକ ବର୍ଷ ଫିକ୍ସିଂ ଜାରି ରହିଛି।
previous post
next post
