ଭୁବନେଶ୍ୱର: ଢାକା ଠାରେ ଆୟୋଜିତ ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ମିଳିଛି ୨ଟି ପୁରସ୍କାର । ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଓ ନିର୍ଦ୍ଦେଶକ ଏ.କେ ବୀରଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଓ ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକର ପୁରସ୍କାର ମିଳିଛି ।୨୪ ଡିସେମ୍ବରରୁ ୨୬ ଡିସେମ୍ବର ଯାଏ ଏହି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୭୦ଟି ଦେଶରୁ ପାଖାପାଖି ୪୦୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିଥିଲା। ଏବଂ ସେଥି ମଧ୍ୟରୁ ବାଂଲାଦେଶର ୨୮ଟି ଚଳଚ୍ଚିତ୍ର ସମେତ ୫୪ଟି ରାଷ୍ଟ୍ରର ମୋଟ ୧୫୦ଟି ଚଳଚ୍ଚିତ୍ର ପ୍ରତିଯୋଗିତା ପର୍ୟ୍ୟାୟକୁ ମନୋନୀତ ହୋଇଥିଲା। ଅନ୍ତଧ୍ୱର୍ନି ପାଇଁ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛି। କେଵଳ ସେତିକି ନୁହେଁ, ୨୪ ଏଫପିଏସ ନିବେଦିତ ତଥା ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟି ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହେବାର ସୁଯୋଗ ପାଇଥିଲା ।
‘ଅନ୍ତର୍ଧ୍ୱନି’ର ନିର୍ଦ୍ଦେଶନା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଓଡ଼ିଆ ନିର୍ଦ୍ଦେଶକ ଏ. କେ ବୀର ଦେଇଥିବା ବେଳେ ପ୍ରଯୋଜନା କରିଛନ୍ତି ରାଜେଶ ମହାନ୍ତି। ପ୍ରମୁଖ ଭୂମିକାରେ ଅଛନ୍ତି ଗୌରବ ପାସୱାଲ, ସ୍ୱପ୍ନା ପତି ଓ ତଳବିନ୍ଦର ସିଂ। ସାଉଣ୍ଡରେ ନିହାର ରଞ୍ଜନ ସାମଲ ଥିବାବେଳେ ଅସୀମ ସିହ୍ନା ଏହାର ସମ୍ପାଦନା କରିଛନ୍ତି। ୨୪ ଏଫପିଏସ ଏଣ୍ଟରଟେନମେଣ୍ଟ ନିବେଦିତ ଏହି ଚଳଚ୍ଚିତ୍ରରେ ଜଙ୍ଗଲକୁ ଏକ ଚରିତ୍ର ଭାବେ ଚିତ୍ରଣ କରାଯାଇଥିବାରୁ ୯୫ ପ୍ରତିଶତ ଜଙ୍ଗଲରେ ସୁଟିଂ ହୋଇଛି । ଜଙ୍ଗଲ ଓ ଏହାର ପ୍ରାକୃତିକ ବାତାବରଣ କାହାଣୀର ମୁଖ୍ୟ ଆଧାର । ପୂର୍ବରୁ କାନ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ‘ଅନ୍ତର୍ଧ୍ୱନି’ ଉଚ୍ଚ ପ୍ରସଂଶିତ ହୋଇଥିଲା । ଏହା ବ୍ୟତୀତ ୱଣ୍ଡ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଅପ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ, ଗୌହାଟୀ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବା ସହ ବିଭିନ୍ନ ବିଭାଗରେ ଏକାଧିକ ପୁରସ୍କାର ଲାଭ କରିଛି। ଆଗକୁ ଚଳଚ୍ଚିତ୍ରଟିକୁ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବା ସହ ବର୍ଲିନ ଓ ଲୋକାର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ କରାଯିବାର ଯୋଜନା ରହିଛି ।