ଭୁବନେଶ୍ୱର/ଶିଳାସ୍ମିତା ରାୟ: ଭିଜିଲାନ୍ସ ଜାଲରେ ୧୯୮୭ ବ୍ୟାଚର ଆଇଏଫଏସ ଧରାପଡିବା ପରେ ସମସ୍ତେ ଜଳକା । ଜଣେ ଆଇଏଫଏସ ଏତେ ସମ୍ପତ୍ତିର ମାଲିକ ହୋଇଥିବା ପୂର୍ବରୁ କେହି କୋଉଠି ଦେଖି ନ ଥିଲେ । ଆୟଠାରୁ ଅଧିକାରୀଙ୍କ ସମ୍ପତ୍ତି ବହୁଗୁଣା ଅଧିକ । ଏହାକୁ ନେଇ ଅଭୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଉ ଏକ ରୋଚକ ଖବର ଏବେ ଚର୍ଚ୍ଚାକୁ ଦ୍ୱିଗୁଣିତ କରି ଦେଇଛି । ଖାଲି ଅଧିକାରୀ ଯେ ଜାଲିଆତିରେ ପିଏଚଡି କରିଛନ୍ତି ତାହା ନୁହେଁ । ତାଙ୍କ ସୁପୁତ୍ର ଆକାଶ ପାଠକ ୪ ପାଦ ଆଗୁଆ । ବାପା ସରକାରୀ ଚାକିରିରେ ପୁଳାପୁଳା ଟଙ୍କା ଠୁଳ କରିଥିବା ବେଳେ ପୁଅ ଦଲାଲିରେ ଡକ୍ଟରେଟ କରିଛନ୍ତି । ସେଥିରୁ ଅର୍ଥ ହଡପରେ କୁଆଡେ ସେ ବାପାଙ୍କୁ ପଛରେ ପକାଇ ଦେଇଛନ୍ତି ।
ଆକାଶ ପାଠକଙ୍କ ନାମରେ ରହିଛି ସାଂଘାତିକ ଅଭିଯୋଗ । ଅଭିଯୋଗ କରିଛି ଟାଟା ମୋଟର୍ସ । ଆକାଶଙ୍କ ନାମରେ ଅଭିଯୋଗ ଆଣିଛି ଭାରତର ସର୍ବାଗ୍ରରେ ଥିବା ଟାଟା ମୋଟର୍ସ । ଆକାଶ ନିଜକୁ ଟାଟା ମୋଟର୍ସର ପୁନେ ଶାଖାର ପରିଚାଳକ ନିର୍ଦ୍ଦେଶକ ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଆସୁଛନ୍ତି । ଲୋକଙ୍କୁ କମ୍ପାନୀରେ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ପରି ସଂଗୀନ ଅଭିଯୋଗ କରିଛି କମ୍ପାନୀ । ଅଭିଯୋଗ ଅନୁଯାୟୀ, ମେ ୭ ତାରିଖ ୨୦୨୦ରେ ଟାଟା ମୋଟର୍ସକୁ ଆକାଶଙ୍କ ଠକେଇ ସମ୍ପର୍କରେ ପ୍ରଥମ ସୂଚନା ମିଳିଥିଲା । ବିଜୟ କୁମାର ଝା ନାମକ ବ୍ୟକ୍ତିଙ୍କୁ ଚାକିରି ଦେବାକୁ ମୋଟା ଅଙ୍କର ଚୂନା ଲଗାଇଥିଲେ । ଯେଉଁଥି ପାଇଁ ବିଜୟ ଟାଟାକୁ ମେଲ ମାଧ୍ୟମରେ ଆକାଶଙ୍କ ଚାକିରି ଓ ପଦକୁ ନେଇ ସୂଚନା ମାଗିଥିଲେ ଓ ଆକାଶ କିପରି ବେକାର ଯୁବକ ଯୁବତୀଙ୍କୁ ଚାକିର ଦେବା ନାମରେ ଠକୁଛନ୍ତି ତାହା ଜଣାଇଥିଲେ ।
ଏହି ଠକେଇ ପାଇଁ ଆକାଶ ଟାଟା ମୋଟର୍ସର ଲୋଗୋକୁ ବ୍ୟବହାର କରିବା ସହ ନିଜର ଭିଜିଟିଂ କାର୍ଡ, ଆଇଡି କାର୍ଡ, ମେଲ ଆଇଡି ମଧ୍ୟ କରିଛନ୍ତି । ଏହି ଠକେଇ ଅର୍ଥରେ ସେ ନିଜ ପାଇଁ ଆଲିସାନ ବଙ୍ଗଳା ମଧ୍ୟ କିଣିଥିବା ଓ ବ୍ୟାଙ୍କରେ ଟଙ୍କା ଗଛିତ କରିଥିବା ସୂଚନା ମିଳିଛି । ଆକାଶ ମଧ୍ୟ ବାପାଙ୍କ ପରି ରାଜକୀୟ ଜୀବନପ୍ରଣାଳିକୁ ଆପଣେଇ ନେଇଛନ୍ତି । ଏକାଧିକ ବାର ସେ ବିଦେଶ ଯାତ୍ରା କରିଛନ୍ତି । ଦେଶ ଭିତରେ ମଧ୍ୟ ଯାତ୍ରା କାଳରେ ସହରରୁ ସହର ସେ ଟ୍ରେନ ବଦଳରେ ବିମାନକୁ ବାଛିଥାନ୍ତି । ଦେଶର ବିଭିନ୍ନ ପଞ୍ଚ ତାରକା ହୋଟେଲରେ ରୁହନ୍ତି । ଏସବୁ ଦେଖି ଗୋଟିଏ କଥା ସ୍ପଷ୍ଟ ହୋଇଛି, ବାପ ସେ ବଢକର ବେଟା ।
