(ମହାଭାରତ, ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ଅନ୍ତର୍ଗତ ସାଇଁକୁଳା ଗାଁରେ ଶ୍ୱଶୁର ଘର ଲୋକେ ବୋହୂକୁ ପୋଡି ମାରିଦେବାକୁ ଉଦ୍ୟମ କରିଛନ୍ତି । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯିବା ସହ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ପୋଲିସ ଶ୍ୱଶୁରକୁ ଗିରଫ କରିଛି । ସୂଚନା ଅନୁଯାୟୀ, ସାଇଁକୁଳା ଗାଁର ଇନ୍ଦ୍ରଜିତ ଗିରିଙ୍କୁ ରାସଗୋବିନ୍ଦପୁର ଥାନା କରଳପଡା ଗାଁର ନିବେଦିତା ଦେଢ ବର୍ଷ ପୁର୍ବେ ବିବାହ କରିଥିଲେ । କିନ୍ତୁ ବିବାହ ପରଠାରୁ ଅନେକ ସମୟରେ ତାଙ୍କୁ ଶ୍ୱଶୁର ଓ ସ୍ୱାମୀ ନିର୍ଯାତନା ଦେଇ ଆସୁଥିବା ପୀଡିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । କିନ୍ତୁ ଗତ ଶନିବାର ଏହି ନିର୍ଯାତନା ସବୁ ସୀମା ଲଙ୍ଘି ଯାଇଥିଲା । ଉଭୟ ସ୍ୱାମୀ ଓ ଶ୍ୱଶୁର ନିବେଦିତାଙ୍କୁ କିରୋସିନି ଢାଳି ପୋଡି ମାରି ଦେବା ପାଇଁ ଉଦ୍ୟମ କରିଥିଲେ । ଏଥିରେ ସେ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ସ୍ଥାନୀୟ ଲୋକେ ନିବେଦିତାଙ୍କ ଶ୍ୱଶୁର ପ୍ରହ୍ଲାଦ ଗିରିଙ୍କୁ ଅଟକ ରଖିବା ସହ ତାଙ୍କୁ ବାନ୍ଧି ରଖିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ୱଶୁରକୁ ଗିରଫ କରି ଥାନାକୁ ଆଣିଛି ।
ତେବେ ଏହି ଘଟଣାରେ ବୋହୂ ମୁହଁ ଖୋଲି ନାହାନ୍ତି । ତେବେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବୋହୂ ଘଟଣା ସମ୍ପର୍କରେ କିଛି ନ କହିବା ପଛରେ ପାରିବାରିକ ଚାପ ରହିଥିବା ଅନୁମାନ କରାଯାଉଛି ।
previous post
next post