(ମହାଭାରତ, ଜୟପାଟଣା): କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଧିନ ବର୍ଛି ଛକ ନିକଟରେ କିଛି ବିହାରି ଶ୍ରମିକଙ୍କୁ ସ୍ଥାନୀୟ ଯୁବକ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ୨ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଅଭିଯୋଗ ମୁତାବକ, ବର୍ଛି ଛକ ନିକଟ ହନୁମାନ ମନ୍ଦିର ଡଙ୍ଗାରୀ ନିକଟରେ ଜଳେଯାଗାଣ ବ୍ୟବସ୍ଥା ପାଇଁ ଏକ ଓଭର ହେଡ ଟ୍ୟାଙ୍କ କାମ ଆରମ୍ଭ ହୋଇଛି । ଏଥିପାଇଁ କିଛି ଶ୍ରମିକ ସେଠାରେ କ୍ୟାମ୍ପ କରି ରହୁଥିଲେ । ଗତ ମଙ୍ଗଳବାର କିଛି ସ୍ଥାନୀୟ ଯୁବକ ବଟି ଆଦାୟ କରିବାକୁ ଯାଇ ସେମାନଙ୍କୁ ୧୦ ହଜାର ଟଙ୍କା ଦେବା ପାଇଁ ବାଧ୍ୟ କରିଥିଲେ । ବଟି ନ ଦେଲେ ଜୀବନରୁ ମାରିଦେବୁ ବୋଲି କହିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ମାରପିଟ ହୋଇଥିଲା । ସ୍ଥାନୀୟ ଯୁବକଙ୍କ ମାଡ ଦେଖି ଦୁଇ ଜଣ ଶ୍ରମିକ ସେଠାରୁ ଖସି ପଳାଇଥିବା ବେଳେ ଅନ୍ୟ ୨ ଜଣ ବିକାଶ କୁମାର (୨୪) ବବଲୁ ମୁଖିଆ (୨୩) ପ୍ରବଳ ମାଡ ଖାଇ ଚେତାଶୂନ୍ୟ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରି ମାରପିଟରେ ସାମିଲ ଥିବା ୪ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
previous post