ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ଭାରତର ସଂବିଧାନ ନିର୍ମାତା ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅବସରରେ ବାଇକ ଶୋଭାଯାତ୍ରା ପରେ ବ୍ଲକ ସଭାଗୃହ ପରିସରରେ ଏକ ସଭା ପାଳିତ ହୋଇଯାଇଛି। ଆଦିବାସୀ ମିଳିତ ମଞ୍ଚ, ଠାକୁରମୁଣ୍ଡା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଞ୍ଚଳର ଅନେକ ଗଣମାନ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବି ସାଧାରଣ ଲୋକ ଅଂଶଗ୍ରହଣ କରିଥିଲେ। ଆଜି ସକାଳ ପ୍ରାୟ ୧୧ଟା ସମୟରେ ରୁଗଡିବେଡା ସ୍ଥିତ ଆମ୍ବତୋଟାରୁ ଏକ ବିଶାଳ ବାଇକ ରାଲିରେ ବାହାରି ରାଲିଟି ଠାକୁରମୁଣ୍ଡା ବଜାର, ଖୁଣ୍ଟାପସି, କୁରକୁରିଆ ଛକ ଓ ହନୁମାନ ଛକ ଦେଇ ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲା।
ରାଲିରେ ଯୁବକ ଓ ସାଧାରଣ ଲୋକଙ୍କ ଭାରି ଭିଡ଼ ଦେଖିବାକୁ ମିଳିଥିଲା , ଯାହାକି ଡ଼. ଆମ୍ବେଦକରଙ୍କ ପ୍ରତି ଲୋକଙ୍କର ଗଭୀର ସମ୍ମାନ ଜଣାଯାଇଛି। ପରେ ବ୍ଲକ ସଭାଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାର ଆରମ୍ଭରେ ଉପସ୍ଥିତ ଅତିଥିମାନେ ବାବା ସାହେବ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୁଦାମ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଟଙ୍କଧର ମହାନ୍ତ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁଶ୍ରୀ ଜବାମଣୀ ଟୁଡୁ, ତରାମରା ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ, ଆଇନଜୀବୀ ଗଣେଶ ଗାଗାରାୟ ଓ କେଉଁଝର ଦିସମ ପାର୍ଣିକ ନିମୁ ଟୁଡୁ ଉପସ୍ଥିତ ଥିଲେ।
ସଭାରେ ଅତିଥି ମାନଙ୍କ ବକ୍ତବ୍ୟ ରେ ବାବା ସାହେବ ଆମ୍ବେଦକରଙ୍କ ଜୀବନୀ, ସଂଘର୍ଷ ଓ ସମାଜ ପ୍ରତି ତାଙ୍କ ଅମୂଲ୍ୟ ଅବଦାନ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ ଡ଼. ଆମ୍ବେଦକର ଦଳିତ, ଅବହେଳିତ ଓ ପୀଡିତ ବର୍ଗଙ୍କ ଅଧିକାର ପାଇଁ ସମଗ୍ର ଜୀବନ ଲଢ଼େଇ କରିଥିଲେ ଏବଂ ସମାଜରେ ସମତା, ନ୍ୟାୟ ଓ ଭାଇଚାରା ସ୍ଥାପନା ପାଇଁ ତାଙ୍କ ଅବଦାନ ସଦା ସ୍ମରଣୀୟ ରହିବ। ଏହି ଅବସରରେ ଅଞ୍ଚଳର ଯୁବ ପିଢ଼ୀଙ୍କୁ ଡ଼. ଆମ୍ବେଦକରଙ୍କ ଆଦର୍ଶ ଅନୁସରଣ କରି ଶିକ୍ଷାରେ ଅଗ୍ରଗାମୀ ହେବା ସହ ସମାଜ ସେବାରେ ନିୟୋଜିତ ହେବାକୁ ଆହ୍ୱାନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଟି ଶାନ୍ତି ଶୃଙ୍ଖଳା ସହିତ ଶେଷ ହେଲା।
