(ବୈତରଣୀ); ଉପର ମୁଣ୍ଡରେ ଲଗାଣ ବର୍ଷା ହେତୁ ଫୁଲିବାରେ ଲାଗିଛି ବୈତରଣୀ ନଦୀ । ବିପଦ ସଙ୍କେତ ୁପରେ ପ୍ରବାହିତ ହେଉଛି ନଦୀ । ଭଦ୍ରକ ଜିଲ୍ଲା ଆଖୁଆପଡ଼ାରେ ବିପଦ ସଙ୍କେତ ଟପିଛି ବୈତରଣୀ । ଯାହାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଅଧିକ ବର୍ଷା ହେଲେ ନଦୀବନ୍ଧର ବଳକା ଅଂଶ ଧସିଯାଇ ଜନବସତିକୁ ବନ୍ୟାପାଣି ମାଡ଼ିଯିବାର ଆଶଙ୍କା ରହିଛି । ଗତକାଲି ଦଶରଥପୁର ବ୍ଲକ୍ କମାରଢିହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ନିକଟରେ ବୈତରଣୀ ନଦୀବନ୍ଧ ପ୍ରାୟ ୨୦୦ ଫୁଟ ଧସି ଯାଇଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।
ସୂଚନାନୁଯାୟୀ , ବର୍ତ୍ତମାନ ସୁଦ୍ଧା ଆଖୁଆପଦାଠାରେ ବିପଦ ସଂକେତ ୧୭ .୮୯ ମିଟରରେ ଜଳ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭ .୮୩ ମିଟର ରହିଛି । ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରାଯାଇଛି । ଏହା ପରେ ଯାଜପୁର ସହ ଭଦ୍ରକ ଜିଲ୍ଲା ପାଇଁ ବିପଦ ବଢିବାରେ ଲାଗିଛି । ବୈତରଣୀ ନଦୀର ବନ୍ୟା ଜଳ ବିଶେଷ କରି ଚାଷୀ କୂଳକୁ ଚିନ୍ତାରେ ପକାଇଛି । ଗତ 10 ଦିନ ମଧ୍ୟରେ ବୈତରଣୀ ନଦୀବନ୍ଧର ଦୁଇଟି ସ୍ଥାନରେ ଧସିଯାଇଛି । ଏହିପରି ନଦୀର ଜଳସ୍ତର ବୃଦ୍ଧି ପାଇଲେ ଦୁର୍ବଳ ଥିବା ନଦୀବନ୍ଧ ଧସିବା ସହ ତଲିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି ।