ନିଆଁରେ ଜଳିଗଲେ ମହିଳା ସ୍ୱାସ୍ଥ୍ୟ କର୍ମୀ। ଦେଓଗାଁ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ମହିଳା କର୍ମୀ ନିଆଁ ପୋଡି ଯାଇ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ରାମଚନ୍ଦ୍ରପୁର ଗାଁରେ । ଗତକାଲି ରାତିରେ ଶୋଇଥିବାବେଳେ କୌଣସି କାରଣ ବଶତଃ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ମହିଳା ସ୍ଵାସ୍ଥ୍ୟକର୍ମୀ ଜଣକ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ତାଙ୍କ ସ୍ଵାମୀ ଉପେନ୍ଦ୍ର କାଲସାଏ ସାମାନ୍ୟ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ତେବେ ଏହି ନିଆଁ ଲଗାକୁ ନେଇ ଅନେକ କଥା ଚର୍ଚ୍ଚା ହେଉଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଗାଁ ଲୋକେ ସନ୍ଦେହ କରୁଛନ୍ତି । ଘରର ଅନ୍ୟ ଆସବାବପତ୍ରରେ ନିଆଁଲାଗି ନଥିବାରୁ ସ୍ୱାସ୍ଥ୍ୟ କର୍ମୀ ଖାଲି କିଭଳି ଜଳିଲେ ତାହାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି । ତେବେ ପୋଲିସ ତଦନ୍ତ ପରେ ନିଆଁ କେଉଁ କାରଣରୁ ଲାଗିଲା ଓ ମହିଳା ଜଣକଙ୍କର ମୃତ୍ୟୁ ହେଲା ସେନେଇ ସଠିକ ତଥ୍ୟ ଜଣାପଡ଼ିବ ବୋଲି ଆଲୋଚନା ହେଉଛି ।
