(ଭୁବନେଶ୍ୱର) : ରାଜ୍ୟରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତ ସୃଷ୍ଟି ହେବାକୁ ଯାଉଛି । ଇତି ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ସାମ୍ନାକୁ ଆସିଛି । ବନ୍ୟାରେ ରାଜ୍ୟର ୧୫ଟି ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି । ଏବେସୁଦ୍ଧା ରାଜ୍ୟରେ ୧୫ଟି ଜିଲ୍ଲାର ୯୦ଟି ବ୍ଲକର ୬୭୨ଟି ଗାଁ ଓ ୧୭ଟି ପୌରାଞ୍ଚଳର ୬୭ଟି ୱାର୍ଡ ପ୍ରଭାବିତ ହୋଇଛି । ୬୮୩୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ମୋଟ ୧.୨୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।
ସୂଚନାନୁଯାୟୀ , ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସମେତ ଅନ୍ୟ ନଦୀଗୁଡ଼ିକରେ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି ।ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । କେନ୍ଦୁଝର, ଭଦ୍ରକ, ଯାଜପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ ସମେତ ମୋଟ ୧୫ଟି ଜିଲ୍ଲାର ୯୦ଟି ବ୍ଲକ ଅଧୀନର ଆସୁଥିବା ୭୬୨ଟି ଗାଁର ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି ।
