ବଲିଉଡ ଅଭିନେତା ଅଜୟ ଦେବଗାନଙ୍କୁ ଶକ୍ତ ଝଟକା। ମୁମ୍ବାଇର ଜୁହୁରେ ଥିବା ଅଜୟଙ୍କ ଦାମୀ ବଙ୍ଗଳାର କିଛି ଅଂଶକୁ ଆଜି ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ବା ବିଏମସି ଭାଙ୍ଗି ଦେଇଛି। କିଛି ଦିନ ତଳେ ଅନାଧିକୃତ ଭାବେ କାମ ବନ୍ଦ କରିବାକୁ ଅଜୟଙ୍କୁ ନୋଟିସ ମିଳିଥିଲା। ଏବେ ବିଏମସି ବଙ୍ଗଳାର କିଛି ଅଂଶକୁ ଭାଙ୍ଗି ଦେଇଛି।
ବିଏମସିର କହିବା କଥା ଯେ ଅଧିକାରୀଙ୍କ ବିନା ଅନୁମିରେ ବଙ୍ଗଳାର ଢାଞ୍ଚାରେ ପରିବର୍ତ୍ତନ, ବିଭିନ୍ନ କାନ୍ଥ ନିର୍ମାଣ, ଝରକାର ଆଧୁନିକରଣ ଓ ଅନ୍ୟ ନିର୍ମାଣ କାମ କରାଯାଇଥିଲା। ଏଥିପାଇଁ ବଙ୍ଗଳାର ମାଲିକ କୌଣସି ଅନୁମତି ନେଇ ନଥିଲେ। ଏକଥା ଜଣାପଡ଼ିବା ପରେ ମୁମ୍ବାଇ ପୌର ନିଗମ ଆଇନର ଧାରା ୩୫୪ଏ ଅନୁସାରେ ଗୋଟିଏ ନୋଟିସ ସେପ୍ଟେମ୍ବର ୧୦ରେ ପଠାଯାଇଥିଲା।
କାମ ବନ୍ଦ କରିବା ସହ ବୈଧ ଦସ୍ତାବିଜ ଦାଖଲ କରିବାକୁ କୁହାଯାଇଥିଲା। ହେଲେ ନୋଟିସକୁ ବେଖାତିର କରି ସେଠାରେ ନିର୍ମାଣ କାମ ଜାରି ରହିଥିଲା। ଏଥିଯୋଗୁ ପୌର ନିଗମ ଅଧିକାରୀମାନେ ଏଥିରେ ଆଜି ହସ୍ତକ୍ଷେପ କରି ବେଆଇନ ନିର୍ମାଣ କାମକୁ ଉଚ୍ଛେଦ କରିଛନ୍ତି। ବିଏମସି ପକ୍ଷରୁ ଶ୍ରମିକମାନେ ଗୋଟିଏ ବଡ଼ ହାତୁଡ଼ି ଦ୍ୱାରା ଅଜୟଙ୍କ ବଙ୍ଗଳାର କିଛି ଅଂଶକୁ ଭାଙ୍ଗୁଥିବା ଫଟୋ ସାମ୍ନାକୁ ଆସିଛି।
