ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ସାଧାରଣ ବା କେନ୍ଦ୍ରୀୟ ବଜେଟ୍ । ଗରିବ ତଥା ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏଥର ମୋଦୀ ସରକାର କ’ଣ ଉପହାର ରଖିଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି । ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ରିଫକେସ୍ ଦେଶର ଅର୍ଥନୀତିକୁ ବୁଷ୍ଟର ଡୋଜ୍ ଦେଉଛି ନା ଏହା କେବଳ ସାଧାରଣ ବଜେଟରେ ପରିଣତ ହେଉଛି, ତାହା ବଜେଟ୍ ଭାଷଣରେ ଦେଖିବାକୁ ମିଳିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୮ଟା ୪୦ରେ ଅର୍ଥ ମନ୍ତ୍ରାଳୟରୁ ବାହାରିବେ। ସକାଳ ପ୍ରାୟ ୯ଟା ବେଳେ ବଜେଟ୍ ପ୍ରସ୍ତୁତ କରୁଥିବା ମନ୍ତ୍ରାଳୟର ଟିମ୍ ସହ ଫଟୋ ସେସନ୍ କରିବେ। ଏହା ପରେ ବଜେଟ୍ ଉପସ୍ଥାପନ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଅନୁମତି ଆଣିବେ। ୧୦ଟାରେ ଅର୍ଥମନ୍ତ୍ରୀ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ବଜେଟ୍ ନେଇ ସଂସଦରେ ପହଞ୍ଚିବେ ଏବଂ ସେଠାରେ ଆଉ ଏକ ଫଟୋ ସେସନ ହେବ। ବଜେଟ୍ ପୂର୍ବରୁ ଦୁଇ ଦୁଇ ଥର ଫଟୋ ସେସନର ପରମ୍ପରା ଏବେବି ରହିଛି। ଆଉ ୧୧ଟାରେ ଅର୍ଥମନ୍ତ୍ରୀ ଲୋକସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ପ୍ରାୟ ଦିନ ଗୋଟାଏ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ୍ ଉପରେ ପ୍ରତିକ୍ରିୟା ଦେବେ। ଅପରାହ୍ନ ୩ଟାରେ ବଜେଟକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଏଥର ନିର୍ମଳାଙ୍କ ପେଡ଼ିରେ ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି। ଶିଳ୍ପ ଜଗତକୁ ପ୍ରାଧ୍ୟାନ୍ୟ ସହ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପୁଞ୍ଜି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି । ରପ୍ତାନି ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଓ ରପ୍ତାନୀ ନୀତିରେ ବି ସଂଶୋଧନ ହୋଇପାରେ। ଆତ୍ମନିର୍ଭର ଭାରତ ପାଇଁ ଅଧିକରୁ ଅଧିକ ମାନୁଫାକ୍ଚରିଂ ଶିଳ୍ପ ସ୍ଥାପନ କରାଯିବା ସହ ଷ୍ଟାର୍ଟଅପ୍ ଓ MSMEକୁ ଅଧିକ ଟିକସ ରିହାତି ମିଳିବ ବୋଲି ଆଶା କରାଯାଉଛି। ଏକ ପରିବେଶ ଅନୁକୂଳ ଭାରତ ଗଠନ ପାଇଁ ଗ୍ରୀନ୍ ଇନିସିଏଟିଭ୍କୁ ପ୍ରାଧାନ୍ୟ ମିଳିପାରେ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ। ମୋଦି ସରକାରର ତୃତୀୟ ପାଳିର ପ୍ରଥମ ବଜେଟରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ।
ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର। ଦେଶର ଜିଡିପିରେ ପର୍ଯ୍ୟଟନ ଶିଳ୍ପର ଅଂଶ ୧୬ ଲକ୍ଷ କୋଟି। କିନ୍ତୁ ପର୍ଯ୍ୟଟନ ବଜେଟ୍ ମାତ୍ର ୨୪ ହଜାର କୋଟି। କୋଭିଡ୍ ପରେ ଘରୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ‘ଦେଖୋ ଅପ୍ନା ଦେଶ୍’ ପଦକ୍ଷେପ ଆପଣେଇଛନ୍ତି କେନ୍ଦ୍ର ସରକାର। ହେଲେ, ସେଥିପାଇଁ ନାହିଁ ପର୍ଯ୍ୟାପ୍ତ ଭିତ୍ତିଭୂମି।
