(ଭୁବନେଶ୍ୱର) : ଅଗଷ୍ଟ ୧୬ରୁ ଘରୋଇ ବସ୍ ଧର୍ମଘଟ । ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ହେବ ବୋଲି ରାଜ୍ୟ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ବିଭିନ୍ନ ଗ୍ରାମାଞ୍ଚଳକୁ ‘ମୋ ବସ୍’ ଚଳାଚଳ କରିବା ଦ୍ବାରା ଘରୋଇ ବସ୍ ମାଲିକ ମାନଙ୍କର କ୍ଷତି ହେଉଛି । କେବଳ ସହରାଞ୍ଚଳରେ ‘ମୋ ବସ୍’ ଚଳାଚଳ କରିବା ନେଇ ନିୟମ ହୋଇଥିଲେ ହେଁ ବେଆଇନ ଭାବେ ବିଭିନ୍ନ ଗ୍ରାମାଞ୍ଚଳରେ ‘ମୋ ବସ୍’ ଚଳାଚଳ କରୁଛି । ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ମଧ୍ୟ ମୋ ବସ୍ ସେବା ଯୋଗାଇ ଦେବାକୁ ଲକ୍ଷ୍ମୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ପଞ୍ଚାୟତରୁ ବ୍ଲକ ସଦର ମହକୁମାକୁ ଏହା ଚଳାଚଳ କରିବ । ଘରୋଇ ବସ୍ ମାଲିକ ମାନଙ୍କର କ୍ଷତି ହେଉଥିବା ସେମାନେ ଅଭିଯୋଗ କରିଛନ୍ତି ।
ସୂଚନାନୁଯାୟୀ , ରାଜ୍ୟ ସରକାର ଅଗଷ୍ଟ ୧୫ ସୁଦ୍ଧା ଏହି ସମସ୍ୟାର ସମାଧାନ ନ କଲେ, ଅଗଷ୍ଟ ୧୬ରୁ ଘରୋଇ ବସ୍ ଧର୍ମଘଟ ହେବ ବୋଲି ରାଜ୍ୟ ବସ୍ ମାଲିକ ସଂଘ ଚେତାବନୀ ଦେଇଛି । ସଂଘ ଏନେଇ ଏକ ଜରୁରୀ ବୈଠକ ଡକାଯାଇଥିଲା । ଏଥିରେ ୬୩ଟି ଆଞ୍ଚଳିକ ସଂଘର କର୍ମକର୍ତ୍ତା ଓ ବସ୍ ମାଲିକମାନେ ଯୋଗ ଦେଇଥିଲେ। ଏଥିରେ ମୋ ବସ୍ ଚଳାଚଳ ଦ୍ବାରା ହେଉଥିବା କ୍ଷତି ଏବଂ ଗଣ୍ଡଗୋଳ ପରିସ୍ଥିତି ନେଇ ଆଲୋଚନା ହୋଇଥିଲା । ଏହା ପରେ ବସ୍ ଧର୍ମଘଟ ନେଇ ନିଷ୍ପତ୍ତି ହୋଇଥିବା ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ।