ଗୋରୁଧରା ଅଭିଯାନ ବନ୍ଦ, ଯାତାୟାତରେ ଅସୁବିଧା
ଗଞ୍ଜାମ: କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ, ସହର ପରିମଳ ରାସ୍ତା ଘାଟରୁ । ରାସ୍ତାଘାଟ ସଫା ସୁତରା ନ ରହି ପାଣି ଜମିବା କିମ୍ବା ଆବର୍ଜନା ପଡ଼ି ରହିଲେ ମଶାମାଛି ସେଥିରୁ ଜନ୍ମ ନେଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିଥା’ନ୍ତି। ରାଜ୍ୟ ସରକାର ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗର ମୂଳଉତ୍ପାଟନ କରିବା ପାଇଁ ଜନସଚେତନତା ଆଣିବା ପ୍ରୟାସ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକାଟୁ ସହରରେ। ଏହି ସହରରେ ବୁଲା ଗାଈଗୋରୁଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଛି ସହରର ପ୍ରମୁଖ ରାସ୍ତା। ବୁଲା ଗାଈଗୋରୁ ଗୁଡିକ ରାସ୍ତାକୁ ନିଜ ଅକ୍ତିଆରକୁ ଆଣି ଦିନରେ ବୁଲୁଥିବା ବେଳେ ରାତିରେ ରାସ୍ତାରେ ହିଁ ଶୋଇ ପଡ଼ୁଛନ୍ତି। ଯାହାଫଳରେ ପୌର ପରିଷଦ ରାଜରାସ୍ତା କିମ୍ବା ସାହିରାସ୍ତା ଗୋ-ଶାଳା ପାଲଟିଯାଇଛି। ଏଥିପାଇଁ ବାଇକ ଚାଳକମାନଙ୍କୁ ଯାତାୟାତରେ ଅସୁବିଧା ଭୋଗିବାକୁ ପଡ଼ୁଛି।
ଚାରି ଚକିଆ ଯାନ ଗଲାବେଳେ ହର୍ଣ୍ଣ ବଜାଇଲେ ମଧ୍ୟ ଗାଈ ଉଠୁନଥିବାରୁ ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ ହଟାଇବାକୁ ପଡ଼ୁଛି। ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଗାଈ ରହୁଛନ୍ତି ଯେ ରାସ୍ତାଟି ଗୁହାଳ ଭଳି ମନେ ହେଉଛି। ବେଳେବେଳେ ରାସ୍ତାର କେଉଁ କଡ ଦେଇ ଯିବ,ବାଇକ ଚାଳକ ତାହା ମଧ୍ୟ ଜାଣିପାରୁନାହିଁ। ତେବେ ସହରରେ ବର୍ଷା ଯେଉଁଦିନ ହୁଏ ସେ କଥା ନ କହିଲେ ଭଲ। ଗାଈ ଗୋରୁଙ୍କ ଗୋବର ଓ ଗୋମୂତ୍ରରେ ବର୍ଷା ପାଣି ପଡ଼ି ସେହି ରାସ୍ତା ଦୁର୍ଗନ୍ଧରେ ନାକ ଫାଟିପଡ଼ୁଛି। ଏହା ସହ ଆବର୍ଜନା ମଧ୍ୟ ପଡ଼ି ସେହି ରାସ୍ତା ଏକ ପ୍ରକାର ଡେଙ୍ଗୁ, ମ୍ୟାଲେରିଆ ରୋଗକୁ ଡାକିଆଣୁଛି। ସ୍ଥାନୀୟ ଲୋକେ ଏହାଦ୍ୱାରା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଉପରେ ଗାଈଗୋରୁଙ୍କ ଗୋବର ଓ ମୂତ୍ର ରହଣୀ ସାଙ୍ଗକୁ ଆବର୍ଜନା ଉପରେ ବର୍ଷା ପାଣି ଜମିବା କାରଣରୁ ବହୁ ମାତ୍ରାରେ ମଶା ସୃଷ୍ଟି ହେଉଛି। ଗାଈଗୋରୁଙ୍କ ରହଣି ପାଇଁ କୁଡ଼ିଆ କରି ସଫାସୁତୁରା ରଖିବା ପାଇଁ ପୌର ପରିଷଦ ପକ୍ଷରୁ ଗାଡ଼ି ଯୋଗେ ତାଗିଦ କରାଯାଉଥିଲେ ବି ଗାଈଗୋରୁଙ୍କ ମାଲିକ ଏହାକୁ କର୍ଣ୍ଣପାତ କରୁନାହାଁନ୍ତି ଅଞ୍ଚଳବାସୀଙ୍କ କହିବା ଅନୁସାରେ, ହିଞ୍ଜିଳି ସହରର ଲୋକେ କ୍ଷୀର ବ୍ୟବସାୟ ପାଇଁ ଗାଈ ରଖୁଛନ୍ତି।
କିନ୍ତୁ ଅଧିକାଂଶ ବ୍ୟକ୍ତି ଗୁହାଳ ନକରି ଘର ସମ୍ମୁଖରେ ଗାଈକୁ ବାନ୍ଧୁଛନ୍ତି ନଚେତ ଖୋଲାରେ ଛାଡି ଦେଉଛନ୍ତି ଯାହାକି ସହରବାସୀଙ୍କ ପାଇଁ ଏଭଳି ଅସୁବିଧା ସୃଷ୍ଟି ହେଉଛି। ହିଞ୍ଜିଳି ଅଞ୍ଚଳରେ କାଞ୍ଜିଆହୁଦା ଥିଲେ ବି ମାଲିକମାନେ ନିୟମ ପାଳନ କରୁନାହାନ୍ତି।ତେବେ ଗତବର୍ଷ ରାସ୍ତାରେ ଗାଈଗୋରୁଙ୍କ ଉତ୍ପାତ ଦିନକୁ ଦିନ ବଢ଼ୁଥିବାରୁ ଏହା ଉପରେ ରୋକ୍ ଲଗାଇବା ପାଇଁ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ଆରମ୍ଭ ହୋଇଥିଲା ନୋଳିକରଣ ଯୋଜନା। ଏଥିରେ ବୁଲା ଗୋରୁଙ୍କ କାନରେ ଏକ ଟ୍ୟାଗ୍ ଲଗା ଯାଇଥିଲା। ସେଥିରେ ଏକ ଚିପ୍ସରେ ଗାଈଗୋରୁ ମାଲିକଙ୍କ ସବିଶେଷ ତଥ୍ୟ ରହୁଥିଲା କିନ୍ତୁ ଏହି ଯୋଜନା ଅଳ୍ପ ଦିନ ହୋଇ ବନ୍ଦ ହୋଇଯାଇଥିଲା। କେବଳ ଗୋପାଳକଙ୍କ ମଧ୍ୟରେ ଭୟ ସୃଷ୍ଟି କରାଯାଇଥିଲା। କାରଣ ଗାଈ ଓ ଗୋରୁ ରାସ୍ତାରେ ବୁଲିଲେ ପୌରପରିଷଦର କର୍ମଚାରୀମାନେ ତାଙ୍କୁ ଧରିନେଇ କାଞ୍ଜିଆହୁଦାରେ ରଖିବା ସହ ମାଲିକଙ୍କଠାରୁ ଜୋରିମାନା ଆଦାୟ କରୁଥିଲେ। ତେଣୁ ଅଞ୍ଚଳବାସୀଙ୍କ କହିବା ଅନୁସାରେ ପୌର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ଏ ବିଷୟର ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉ ନଚେତ୍ ବଡ଼ଧରଣର ଦୁର୍ଘଟଣାକୁ ନିମନ୍ତ୍ରଣ ସୁନିଶ୍ଚିତ ଏଥିରେ ଦ୍ବିମତ ନାହିଁ।