ଶୁକ୍ରବାର ରାଜ୍ୟ ସରକାର ଜମ୍ମୁ ଓ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏହା ସହ ରଶ୍ମିରଞ୍ଜନ ହୋଉଛନ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ । ଏନେଇ ଗତବର୍ଷ ନଭେମ୍ବର ମାସ ୨୧ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଏହି ସମ୍ପର୍କିତ ପ୍ରସ୍ତାବକୁ ମୋହର ମାରିଥିଲା । ଗତ ବର୍ଷ ନଭେମ୍ବରରେ ରାଜ୍ୟ ସରକାର ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଏହା ଦ୍ବାରା ୟୁନିଫର୍ମ ସେବା ଯୋଗାଉଥିବା ଅଧିକାରୀଙ୍କ ନିଯୁକ୍ତି ଏହି ଆୟୋଗ କରିବ । ଏଥିରେ ଜଣେ ଅଧକ୍ଷ, ଦୁଇ ଜଣ ସଦସ୍ୟ ରହିବା ନେଇ ନିର୍ଦ୍ଧାରିତ ହୋଇଥିଲା । ମୁଖ୍ୟତଃ ପୋଲିସ, ବନ ବିଭାଗ, ଅବକାରୀ ବିଭାଗରେ ଏହି ଆୟୋଗ ନିଯୁକ୍ତି କରିବ ।

ରଶ୍ମିରଞ୍ଜନ ସ୍ବାଇଁ ହେଉଛନ୍ତି ୧୯୯୧ ବ୍ୟାଚ କ୍ୟାଡର ଆଇପିଏସ ଅଫିସର । ୨୦୨୩ ଅକ୍ଟୋବର ୩୧ରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ଅବସର ନେଇଥିଲେ । ଏହାପୂର୍ବରୁ ମଧ୍ୟ ସେ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ରାଜଧାନୀ ଜମ୍ମୁ ଏବଂ ଶ୍ରୀନଗରରେ ଏସଏସପି ଭାବରେ କାର୍ଯ୍ୟ କରିଥିଲେ । ସେ ଲେହ, ପୁଞ୍ଚ ଏବଂ ରାମବାନର ଏସଏସପି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀର ଭିଜିଲାନ୍ସରେ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ ଭାବରେ ନିଯୁକ୍ତ ଥିଲେ ।
