(ଦିଲ୍ଲୀ) : ୧୪ ଦିନର ସ୍ଲିପ୍ ମୋଡ ପରେ ଆଜି ପୁଣି ଆକ୍ଟିଭ ହେବ ଚନ୍ଦ୍ରଯାନ-୩ ର ଲ୍ୟାଣ୍ତର ବିକ୍ରମ ଓ ରୋଭର ପ୍ରଜ୍ଞାନ । ଗତ ୨୦ ତାରିଖରୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଦିନ ହେବାରେ ଲାଗିଛି । ସୂର୍ଯ୍ୟ କିରଣ ପଡିବା ପରେ ପୁଣି ଲ୍ୟାଣ୍ତର ଓ ରୋଭର ଆକ୍ଟିଭ୍ ହେବ ବୋଲି ଇସ୍ରୋ ଆଶାବାଦୀ ହୋଇଛି । ଯଦି ଏହି ପ୍ରକ୍ରିୟା ସଫଳ ହୁଏ ତେବେ ଭାରତକୁ ପୁଣି ଏକ ବଡ଼ ସଫଲତା ମିଳିବ ।
ସୂଚନାନୁଯାୟୀ , ସେହିପରି ଆଗାମୀ ୧୪ ରୁ ୧୫ ଦିନ ପର୍ଯ୍ୟନ୍ତ ପୁଣି ଚନ୍ଦ୍ରପୃଷ୍ଠରେ ଅଧିକ ଗବେଷଣା କରିବାରେ ସଫଳ ହେବ ଇସ୍ରୋ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ୧୧ ଦିନ ପରେ ଲ୍ୟାଣ୍ତର ବିକ୍ରମ ଓ ରୋଭର୍ ପ୍ରଜ୍ଞାନକୁ ସ୍ଲିପ୍ ମୋଡରେ ପଠାଯାଇଥିଲା । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-3 ଦକ୍ଷିଣ ମେରୁରେ ପହଞ୍ଚି ସାରା ବିଶ୍ୱରେ ଏକ ଇତିହାସ ରଚିଥିଲା । ଭାରତ ପ୍ରଥମ ଦେଶ ହୋଇ ପାରିଥିଲା ଯେ, ଦକ୍ଷିଣ ମେରୁରେ ପହଞ୍ଚି ପାରିଥିଲା । ଏହା ପୂର୍ବରୁ କୌଣସି ଦେଶ ଦକ୍ଷିଣ ମେରୁରେ ପହଞ୍ଚି ପାରିନଥିଲା ।
