ଭୁବନେଶ୍ବର: ପହଣ୍ଡି ବେଳେ ଘଟୀଥିବା ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଯାହାର ଜବାବ ରଖି ମୋହନ ମାଝୀ କହିଛନ୍ତି ଜଗତର ନାଥ ଜଗନ୍ନାଥ କେବଳ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ନୁହଁନ୍ତି । ସେ ସାରା ଜଗତ ଅର୍ଥାତ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ । ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ମିଳିତ ସମାହାର ଏବଂ ତାଙ୍କର ପୂଜନ ବିଧି ବ୍ୟବସ୍ଥା ସାରା ଜଗତରେ ବିରଳ ବୋଲି ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ଚଳିତ ବର୍ଷ ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିରେ ସାରା ଜଗତ ଦୁଃଖିତ ।ତେଣୁ ଆପଣ ଏ ଘଟଣାରେ ମର୍ମାହତ ହେବା ସ୍ବାଭାବିକ । ମୁଁ ମଧ୍ୟ ଗଭୀର ମର୍ମାହତ ।ଆଡପ ମଣ୍ଡପ ପହଣ୍ଡି ବିଜେ ସମୟରେ ହୋଇଥିବା ଅଘଟଣ ବିଷୟରେ ଜାଣିବା ପରେ ମୁଁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆାଇନମନ୍ତ୍ରୀ ପ୍ୟଥିରାଜ ହରିଚନ୍ଦନଙ୍କୁ ଘଟଣାର ତଦନ୍ତ ପାଇଁ ପୂୁରୀ ଯିବାକୁ ନିର୍ଦ୍ଦେଶ ଦେବାସହିତ ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନଘଟିବ ସେଥିପାଇଁ ଯନ୍ତ୍ରବାନ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ତା ସହିତ ନବୀନଙ୍କ ଚିଠିକୁ ସେ ଗୁରୁତ୍ୱର ସହ ପଢିଛନ୍ତି ବୋଲି ମୋହନ ମାଝୀ ଚିଠିରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ, ନବୀନଙ୍କ ପରାମର୍ଶ ତାଙ୍କ ପାଇଁ ସବୁବେଳେ ସମ୍ମାନର ସହ ଗ୍ରହଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚିଠି ଲେଖି ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ଚିଠି ଲେଖି ନବୀନ କହିଥିଲେ, ମହାପ୍ରଭୁ ଓଡିଆ ଜାତିର ମୁରବୀ । ଆମ ବିଶ୍ୱାସର କେନ୍ଦ୍ରବିନ୍ଦୁ ଓ ପ୍ରତୀକ । ଆଡପ ମଣ୍ଡପକୁ ବଡ ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ତାହା ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ମୁଁ ମଧ୍ୟ ଏଥିରେ ଅତ୍ୟନ୍ତ ମର୍ମାହତ । ଚାରାମାଳରୁ ବଡଠାକୁର ମୁହଁ ମାଡି ହୋଇ ପଡିଯିବା ଅତି ହୃଦୟ ବିଦାରକ ଘଟଣା ଥିଲା । ହେଲେ ଏଭଳି ସ୍ପର୍ଶକାତର ମାମଲାରେ ମନ୍ତ୍ରୀ ଯେଉଁଭଳି ହାଲୁକା ମନ୍ତବ୍ୟ ଦେଲେ ଏହା ଭକ୍ତର ଭାବାବେଗକୁ ଆଘାତ ଦେଇଛି । ସରକାରଙ୍କ ଏଭଳି ଆଭିମୁଖ୍ୟ ଜଗନ୍ନାଥ ପ୍ରେମୀଙ୍କ ଆଶ୍ୱସ୍ତ କରିବାରେ ସକ୍ଷମ ହେଲା ନାହିଁ ବୋଲି ନବୀନ ନିଜ ଚିଠରେ ଉଲ୍ଲେଖ କରିଥିଲେ। ଯାହା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।