ଓଡିଶା

ଦୁଇ ଦଶନ୍ଧିର ଶାସନ ପରେ ମୂଳ ପ୍ରସଙ୍ଗର ପୁନରାବୃତ୍ତି

ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ ୨୦୦୦ରୁ ମୁଖ୍ୟମନ୍ତ୍ରୀ ଭାବେ ନିରଙ୍କୁଶ ଶାସନ ଚଳାଇ ଆସୁଛନ୍ତି ନବୀନ ପଟ୍ଟନାୟକ । କଂଗ୍ରେସ ଶାସନରେ ଦୁର୍ନୀତି, ଭ୍ରଷ୍ଟାଚାରରେ ଅତିଷ୍ଟ ରାଜ୍ୟବାସୀଙ୍କୁ ଦୁର୍ନୀତି ମୁକ୍ତ ଏକ ସୁସ୍ଥ ଶାସନ ଯୋଗାଇ ଦେବାର ନାରା ଦେଇ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ନବୀନଙ୍କ ପିତା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ଲୋକଙ୍କ ଆଗରେ ରଖି ଜନସମର୍ଥନ ହାସଲ କରିଥିଲେ । ଏହା ମଧ୍ୟରେ ଦୀର୍ଘ ୨୦ ବର୍ଷ ବିତି ଗଲାଣି । ଏବେ ଦୁର୍ନୀତି ମୁକ୍ତ ସମାଜ କଥା ମୁଖ୍ୟମନ୍ତ୍ରୀ ତଥା ତାଙ୍କ ଦଳୀୟ ନେତା ମନ୍ତ୍ରୀଙ୍କଠାରୁ ଶୁଣିବା ପରେ ଏହାର ତତ୍ପର୍ଯ୍ୟ ବୁଝାପଡୁନାହିଁ । ବିଜେଡି ରାଜ୍ୟ ପରିଷଦ ବୈଠକ ଅବସରରେ ଦୁର୍ନୀତିର ମୂଳୋତ୍ପାଟନ କରିବାକୁ ନବୀନଙ୍କ ଆହ୍ୱାନ ପରେ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ସେମାନେ ଏତେ ବର୍ଷ ଧରି ଯେଉଁ ନବୀନ ଓ ତାଙ୍କ ସରକାରକୁ ଦୁର୍ନୀତି ମୁକ୍ତ ଧରି ନେଇଥିଲେ, ତାହା କଣ ଦୁର୍ନୀତିମୁକ୍ତ ନ ଥିଲା ବୋଲି ପ୍ରଶ୍ନ ହେଉଛି । ଏହାକୁ ନେଇ ଓଡ଼ିଆର ଢଗ ମନେପଡୁଛି, ଆରେ ଢମଣା ବୁଲି ବୁଲି ପୁଣି ସେଇ ଅଗଣା।  

ବିଜେଡି ରାଜ୍ୟ ପରିଷଦ ବୈଠକରେ ନବୀନଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତାର ଡକରା ଉଦୁଉଦିଆ ଖରାବେଳଟାରେ ଦୀପ ଜାଳିବା ପରି ମନେ ହେଉଛି । ବିଜେଡି ଶାସନର ପ୍ରାରମ୍ଭିକ ଦୁଇଟି ପାଳିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ନେତା, ମନ୍ତ୍ରୀଙ୍କୁ ଛାୟା ଦୁର୍ନୀତିରେ ଲିପ୍ତ ନେଇ ଦଳରୁ ବହିଷ୍କାର କରିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଏକ ଧାରଣା ବଦ୍ଧପରିକର ଥିଲା କି ବିଜୁ ବାବୁଙ୍କ ସୁପୁତ୍ର ମଧ୍ୟ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ । କିନ୍ତୁ ହଠାତ୍ କାଲି ଦୁର୍ନୀତି ବିରୁଦ୍ଧରେ ଯୁଦ୍ଧଂଦେହୀ ଡାକରା ଶୁଣିବା ପରେ ଲୋକେ ଭ୍ରମରେ । ଯେଉଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳକୁ ସେମାନେ ଦୀର୍ଘ ୨ ଦଶନ୍ଧୀ ଧରି ଦୁର୍ନୀତିମୁକ୍ତ ମାନି ଆସିଥିଲେ ସେହି ସରକାର କଣ ଦୁର୍ନୀତିରେ ଲିପ୍ତ ବୋଲି ଚର୍ଚ୍ଚା ହେଉଛି ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିକୁ ନେଇ ଶୂନ୍ୟ ସହିଷ୍ଣୁତାର ବାର୍ତ୍ତାକୁ ବୁଦ୍ଧିଜୀବୀ ସମାଲୋଚନା କରୁଛନ୍ତି । ଦଳୀୟ ମନ୍ତ୍ରୀ, ନେତାଙ୍କଠାରୁ ଆରମ୍ଭ କରି ତୃଣମୂଳସ୍ତରର କର୍ମକର୍ତ୍ତା ଦୁର୍ନୀତିରେ ଲିପ୍ତ ରହି ପୁରୁଷ ପୁରୁଷ ପାଇଁ ଅର୍ଥ ମହଜୁଦ କରିବା ପରେ ଏହି ବାର୍ତ୍ତାର ଉଦ୍ଦେଶ୍ୟ ଖୋଜା ଚାଲିଛି । ପ୍ରଥମ ଦୁଇଟି ପାଳି ପରଠାରୁ ଅର୍ଥାତ୍ ଦଳ ବିଜେପିକୁ ଛାଡି ଏକାକୀ ରାଜ୍ୟ ଶାସନ ଭାର ହାତକୁ ନେବା ପରଠାରୁ ଏକାଧିକ ଦୁର୍ନୀତିକୁ ନେଇ ତୁମ୍ବି ତୋଫାନ ସୃଷ୍ଟି ହୋଇଛି । ବିଜେପିଠାରୁ ହାତ ଛଡାଇବା ପରେ ବିଜେଡି ଦୁର୍ନୀତି ପ୍ରସଙ୍ଗକୁ ନିର୍ବାଚାନୀ ମୁଦ୍ଦାରେ ସ୍ଥାନ ଦେଇ ନାହିଁ । କାରଣ ବିଜେପିଠୁ ଅଲଗା ହେବା ପରେ ଓ ଦଳର ବରିଷ୍ଠ ନେତାଙ୍କୁ ଦଳରୁ ବିତାଡିତ କରାଯିବା ପରେ ଅଧିକାରୀଙ୍କ ଶକ୍ତି କାୟା ବିସ୍ତାର କରିଥିଲା । ଖଣି ଦୁର୍ନୀତି, ଡାଲି ଦୁର୍ନୀତି, ମନରେଗା, ଇନ୍ଦିରା ଆବାସ, ଚିଟଫଣ୍ଡ ଦୁର୍ନୀତି ବିଭିନ୍ନ ସମୟରେ ଗୋଟିଏ ପରେ ଗୋଟିଏ ପଦାକୁ ଆସିଥିଲା । ଖଣି ଦୁର୍ନୀତିର ତଦନ୍ତକାରୀ ଶାହା କମିଶନ ତାଙ୍କ ରିପୋର୍ଟରେ ସରକାରୀ ଅଧିକାରୀ ଓ ନେତାଙ୍କ ସମ୍ପୃକ୍ତି ରହିଥିବା ଦର୍ଶାଯାଇଥିଲା । ୨୦୧୧ରେ ଡାଲି ଦୁର୍ନୀତିକୁ ନେଇ ମନ୍ତ୍ରୀ ପ୍ରମିଳା ମଲିକଙ୍କୁ ପଦ ଛାଡିବାକୁ ପଡିଥିବା ବେଳେ କିନ୍ତୁ ଏଥିରେ ସମ୍ପୃକ୍ତ ତକ୍ରାଳୀନ ଗଞ୍ଜାମ ଜିଲ୍ଲାପାଳ ତଥା ବର୍ତ୍ତମାନର ୫ ଟି ଓ ମୋ ସରକାରର ସର୍ବେସର୍ବା ଭି କେ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ସେହିପରି ୨୦୧୪ରେ ଶାସକ ଦଳର ପୃଷ୍ଟପୋଷକତାରେ ଗଢିଉଠିଥିବା ବିଭିନ୍ନ ଚିଟଫଣ୍ଡ ସଂସ୍ଥା ରାଜ୍ୟବାସୀଙ୍କୁ ଲୁଟିନେଇଥିଲେ । କୋଟି କୋଟି ଗରିବଙ୍କ କଷ୍ଟ ଅର୍ଜିତ ଅର୍ଥକୁ ଲୁଟିବାରେ ଶାସକ ଦଳୀୟ ନେତା ସହଯୋଗ କରିଥିଲେ । ଲୋକଙ୍କ ଟଙ୍କା ବୁଡି ଯିବା ପରେ ମୁଖ୍ୟମନ୍ତ୍ରୀ ନିଦା ବିଷ୍ଣୁ ପାଲଟି ଯାଇଥିଲେ ।

ଏହାକୁ ନେଇ ବୁଦ୍ଧିଙ୍କ ମତ, ଯେତେବେଳେ ଦୁର୍ନୀତିକୁ ନେଇ ସିବିଆଇ ତଦନ୍ତ ଆବଶ୍ୟକ ହେଲା ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତକୁ ନିଷ୍କ୍ରିୟ କରିବାକୁ କେନ୍ଦ୍ରର ମୋଦି ସରକାର ତଥା ୟୁପିଏ ସରକାରକୁ ସଂସଦରେ ସମର୍ଥନ କରିଆସିଲେ । ଅର୍ଥାତ୍ ସବୁ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ଭାଗିଦାରୀ ରହିଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରନ୍ତି । ସେମାନଙ୍କ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନେତା ମନ୍ତ୍ରୀ ତଥା ଅଧିକାରୀଙ୍କ ମାଧ୍ୟମରେ ଦୁର୍ନୀତି କରିଛନ୍ତି, ତେଣୁ ସିବିଆଇ ତଦନ୍ତକୁ ବିରୋଧ କରିଆସୁଛନ୍ତି । ଯଦି ବାସ୍ତବରେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଓ ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ଅବଲମ୍ବନ କରି ଆସୁଛନ୍ତି, ତେବେ ଯେଉଁମାନଙ୍କ ନାମରେ ବିଭିନ୍ନ ଦୁର୍ନୀତିର ଅଭିଯୋଗ ରହିଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି କାହିଁକି? କିନ୍ତୁ ଦୁର୍ନୀତି ଓ ଦୁର୍ନୀତିଖୋରଙ୍କୁ ଅଭୟ ପ୍ରଦାନ କରି ରାଜ୍ୟର ଖଣି, ପାଣି, ଜଙ୍ଗଲ, ଜମି ସର୍ବସ୍ୱ ଲୁଟ କରିବା ପରେ ଆଜି ବିରାଡି ବୈଷ୍ଣବ ସାଜିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହା ମୁଖ୍ୟମନ୍ତ୍ରୀଙ୍କ ମାତ୍ରାଧିକ ଧ୍ରୁତତା ବୋଲି ମଧ୍ୟ କୁହାଯାଉଛି ।

୨୦ ବର୍ଷ ଧରି ଶାସକ ଦଳର ଓ ସରକାରୀ କଳର ଦୁର୍ନୀତିକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ବୃଦ୍ଧି ପାଇଛି । ଦଳ ଉପରୁ ଜନତାଙ୍କ ଭରସା ଉଠୁଛି । ଏହା ବ୍ୟତୀତ, ସାମ୍ପ୍ରତିକ ସ୍ଥିତିରେ ସରକାର ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ଜନଅସନ୍ତୋଷ ବୃଦ୍ଧି ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ତେଣୁ ପୁଣି ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତାର ନାରା ଦେଇଥିବା କୁହାଯାଉଛି

 

Related posts

ସୋନପୁରରେ ତାପମାତ୍ରା ୧୧.୮ ଡିଗ୍ରୀ

mahabharatanews

ଘର କାନ୍ଥ ଭୁଶୁଡି ବୃଦ୍ଧା ଗୁରୁତର

mahabharatanews

୧୧୭ କ୍ଵିଣ୍ଟାଲ ମହୁଲ ଜବତ 

mahabharatanews