ଓଡିଶା

୬ ଆଇଏଏସଙ୍କ ଉପରେ କୋରୋନା ମୁକାବିଲା ଦାୟିତ୍ୱ

(ମହାଭାରତ/ଭୁବନେଶ୍ୱର): କୋରୋନା ମୁକାବିଲା ପାଇଁ ୬ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସାରା ରାଜ୍ୟ ଲକଡାଉନ ଥିବା ବେଳେ ବିଏମସି ଅଞ୍ଚଳରେ ସଂକ୍ରମଣ ରୋକିବା ପାଇଁ ଏମାନେ କାର୍ଯ୍ୟ କରିବେ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ୪୬ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇଛି । ରାଜ୍ୟରେ ଅନ୍ୟସ୍ଥାନ ଅପେକ୍ଷା ଭୁବନେଶ୍ୱରରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଶେଷ କରି ଏହି ଅଧିକାରୀମାନେ ବିଏମସି ଅଞ୍ଚଳରେ କିପରି ସଂକ୍ରମଣ ରୋକାଯାଇପାରିବ ସେହି କାମ କରିବେ । ଭୁବନେଶ୍ୱର ମହାନଗର ନିଗମକୁ ତିନୋଟି ଜୋନରେ ବିଭକ୍ତ କରି ୬ଜଣ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଉତ୍ତର ଜୋନ ଦାୟିତ୍ୱରେ ଏସସି/ଏସଟି ଉନ୍ନୟନ ସଚିବ ରଞ୍ଜନ ଚୋପ୍ରା ଓ ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଦକ୍ଷିଣ ପୂର୍ବ ଜୋନ ଦାଇତ୍ୱ ଅବକାରୀ ସଚିବ ସୁଶୀଲ ଲୋହାନୀ ଓ ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କୁ ଦିଆଯାଇଛି । ସେହିଭଳି ଦକ୍ଷିଣ-ପଶ୍ଚିମ ଦାୟିତ୍ୱରେ ଭାସ୍କର ଜ୍ୟୋତି ଶର୍ମା ଓ ଅର୍ଥ ସଚିବ ଅଶୋକ ମୀନାଙ୍କୁ ଦାୟିତ୍ୱ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ଯେଭଳି ଏହି ସଂକ୍ରମଣ ନ ବ୍ୟାପିବ ସେଥିପାଇଁ ଏହି ବରିଷ୍ଠ ଅଫିସରମାନେ କଣ୍ଟେନମେଣ୍ଟ ଅଞ୍ଚଳର ଦାଇତ୍ୱରେ ରହିବେ । ଯେଉଁ ଅଞ୍ଚଳରେ କୋରୋନା ପଜିଟିଭ ଚିହ୍ନଟ ହେବେ ସେଠାରେ କଣ୍ଟାକ୍ଟ ଟ୍ରେସିଂ ଓ ଘରକୁ ଘର ସର୍ଭେ କାର୍ଯ୍ୟର ତଦାରଖ କରିବେ । ଏହା ସହ କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକମାନଙ୍କ ପାଖରେ ଜରୁରୀ ସାମଗ୍ରୀ ଯୋଗାଣ କଥା ବି ବୁଝିବା ପାଇଁ ଦାୟିତ୍ୱ ଦିଆଯାଇଛି ।

Related posts

ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପ ପକ୍ଷରୁ ଯୋନ ପ୍ରତିଷ୍ଠା କାର୍ୟ୍ୟକ୍ରମ ଅନୁଷ୍ଠିତ

mahabharatanews

ଗାଡି ଧକ୍କାରେ ୨ଜଣକର ମୃତ୍ୟୁ ଜଣେ ଗୁରୁତର

mahabharatanews

୮ରୁ ବସ୍‌ ଧର୍ମଘଟ

mahabharatanews