ଭୁବନେଶ୍ୱର: ପୁରୀ ହାଜତରେ ନଭେମ୍ବର ୧୯ ତାରିଖରେ ମୃତ୍ୟୁବରଣ କରିଥିବ କେ ରମେଶଙ୍କ ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ ଆସିଲା । ରିପୋର୍ଟରେ ହାଜତ ଭିତରେ ପୁଲିସର ତାଙ୍କ ପ୍ରତି ହୋଇଥିବା ବର୍ବରତା ଦର୍ଶାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ପୁଲିସକୁ ହସ୍ତାନ୍ତର କରାଯାଇଛି । କିନ୍ତୁ ପୁଲିସ ଏହାକୁ ନେଇ କୌଣସି ସୂଚନା ଦେଇ ନଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁଯାୟୀ, ରମେଶଙ୍କ ଶରୀରରେ ୧୬ଟି କ୍ଷତ ରହିଛି, ଯାହା ଲାଠି ପ୍ରହାରରୁ ସୃଷ୍ଟି ହୋଇଛି । ଏହା ବ୍ୟତୀତ ତାଙ୍କ ମସ୍ତିଷ୍କରେ ୨୫୦ ମିଲିଲିଟର ରକ୍ତ ଜମାଟ ବାନ୍ଧିଥିବା ରିପୋର୍ଟରେ ଦର୍ଶା ଯାଇଛି, ଯାହା ମୁଣ୍ଡରେ ଜୋରରେ ପ୍ରହାର ବା ଆଘାତ କାରଣରୁ ହୋଇଥିବା ସନ୍ଦେହ ସୃଷ୍ଟି କରୁଛି । ଏହା ହିଁ ରମେଶଙ୍କ ମୃତ୍ୟୁର କାରଣ ହୋଇଛି ।
କିନ୍ତୁ କେ ରମେଶଙ୍କ ମୃତ୍ୟୁକୁ ନେଇ ପୁଲିସ ସେତେବେଳେ କହିଥିଲା ଏହା ହାଜତ ମୃତ୍ୟୁ ନୁହେଁ । ତକ୍ରାଳୀନ ଏସପି ଅଖିଳେଶ ସିଂ କହିଥିଲେ ରମେଶ ଜଣେ ଦୁର୍ଦ୍ଦାନ୍ତ ଅପରାଧି ଥିଲା । ସେ ମାରଣାସ୍ତ୍ର ଧରି ବୁଲିଥିବା ଖବର ପାଇ ପୁଲିସ ତାକୁ କାବୁ କରିବାକୁ ଯିବା ବେଳେ ସେ ପୁଲିସକୁ ଠେଲାପେଲା କରିଥିଲା । ଏହି ଠେଲାପେଲାରେ ସେ ଆହତ ହୋଇଥିଲା । ଆହତ ଅବସ୍ଥାରେ ତାକୁ ହସ୍ପିଟାଲ ନେବା ବେଳେ ତାର ମୃତ୍ୟୁ ହୋଇଥିବା ଏସପି କହିଥିଲେ ।
SR