(ଭୁବନେଶ୍ୱର) : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗୁରୁବାର ଓ ଶୁକ୍ରବାର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ମାର୍ଚ୍ଚ ୪ ବେଳକୁ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ହେବ ବୋଲି
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରିଛି ।
ସୂଚନାନୁଯାୟୀ , ଆସନ୍ତାକାଲିଠାରୁ ଉପକୂଳରେ ତାପମାତ୍ରା ବଢ଼ିବ। ମାର୍ଚ୍ଚ ୩ରେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରି ଅତିକ୍ରମ କରିପାରେ। ୪ ଓ ୫ ତାରିଖରେ ପାଗ ଆଂଶିକ ମେଘୁଆ ହେତୁ ତାପମାତ୍ରା କମିବ। ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ି ୫ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରି ବଢ଼ିପାରେ। ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ିବ। ତେବେ ମାର୍ଚ୍ଚ ୩ରେ ପାଗ ଆଂଶିକ ମେଘୁଆ ସହ ବର୍ଷାର ସମ୍ଭାବନା ରହିଥିବାରୁ ୩ ଓ ୪ରେ ତାପମାତ୍ରାରେ କିଛି ମାତ୍ରାରେ କମିବ। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାରେ ୩ ତାରିଖ ସୁଦ୍ଧା ସର୍ବାଧିକ ତାପମାତ୍ରା ପ୍ରାୟ ୩ ଡିଗ୍ରି ବଢ଼ିପାରେ। ଉପକୂଳ ଅଞ୍ଚଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସକାଳେ କୁହୁଡ଼ି ହେବ।
