(ଭୁବନେଶ୍ୱର) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ସକାଳେ ରାଷ୍ଟ୍ରପତି ପ୍ରଥମେ କେନ୍ଦୁଝର ଗସ୍ତରେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟର ଜାତୀୟ ସେମିନାରକୁ ଉଦଘାଟନ କରିବେ । ଏହା ସହ କଦଳୀବାରୀ ଗାଁର ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସାକ୍ଷାତ କରିବେ ରାଷ୍ଟ୍ରପତି ।
ସୂଚନାନୁଯାୟୀ , ଆଜି ସକାଳ ୯ଟା ୧୫ ମିନିଟରେ ରାଇରଙ୍ଗପୁର ଇରିଗେସନ ଗେଷ୍ଟ ହାଉସରୁ ଦାଣ୍ଡପୋଷ ହେଲିପ୍ୟାଡ ବାହାରି ବାୟୁସେନାର ଆଇଏଏମଏଫ ଏମଆଇ-୧୭ ଜରିଆରେ କେନ୍ଦୁଝର ରାଇସୁଆଁ ଅଭିମୁଖେ ଯାତ୍ରା କରିବେ ମହାମହିମ । ପୂର୍ବାହ୍ନ ୧୦ଟା ୫୦ ମିନିଟରେ ରାଇସୁଆଁରେ ପହଞ୍ଚିବା ପରେ ସେ ସଡକ ପଥରେ ଗୋନାସିକା ଯିବେ । ଏହାପରେ ମଧ୍ୟାହ୍ନ ୧୨ଟା ୧୦ ମିନିଟରେ କଦଳୀବାରୀ ଗାଁରେ ପହଞ୍ଚି, ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୧ଟା ୪୦ ମିନିଟରେ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ । ପରେ ଅପରାହ୍ଣ ୩ଟାରେ ଧରଣୀଧର ବିଶ୍ୱବିଦ୍ୟାଳୟରେ ସେଠାରେ ହେବାକୁ ଥିବା ଜାତୀୟ ସେମିନାରକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ୪ଟାରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଆସିବେ ରାଷ୍ଟ୍ରପତି । ସନ୍ଧ୍ୟା ସାଢେ ୫ଟାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପହଞ୍ଚି ସମାବର୍ତ୍ତନ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
