(ଦିଲ୍ଲୀ) : ଗଭୀର ଅବପାତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ତୀବ୍ର ହୋଇ ଘୂର୍ଣ୍ଣିଝଡ଼ ପାଲଟିବା ସହିତ ନଭେମ୍ବର ୧୮ ତାରିଖ ପ୍ରତ୍ୟୁଷ ସୁଦ୍ଧା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତିଶୀଳ ହେବା ସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଉଗ୍ର ହୋଇ ଏହି ଗଭୀର ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ତା’ପରେ ନଭେମ୍ବର ୧୮ ତାରିଖ ପ୍ରତ୍ୟୁଷ ସୁଦ୍ଧା ଏହି ଘୂର୍ଣ୍ଣିଝଡ଼ ମଙ୍ଗଳା ଓ ଖେପୁପଡ଼ା ମଧ୍ୟରେ ବାଂଲାଦେଶ ଉପକୂଳ ଅତିକ୍ରମ କରିପାରେ।
ସୂଚନାନୁଯାୟୀ , ଏହି ଅବପାତ ସମ୍ପ୍ରତି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ପୂର୍ବ-ଦକ୍ଷିଣପୂର୍ବକୁ ୩୯୦ କିଲୋମିଟର୍, ଓଡ଼ିଶାର ପାରଦୀପର ଦକ୍ଷିଣ-ଦକ୍ଷିଣପୂର୍ବକୁ ୩୨୦ କିଲୋମିଟର୍, ପଶ୍ଚିମବଙ୍ଗର ଦିଘାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୪୬୦ କିଲୋମିଟର୍ ଓ ବାଂଲାଦେଶର ଖେପୁପଡ଼ାର ଦକ୍ଷିଣ-ଦକ୍ଷିଣପଶ୍ଚିମକୁ ୬୧୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ ରହିଛି।
