ଭୁବନେଶ୍ୱର: ସରିଛି ସର୍ବଦଳୀୟ ବୈଠକ । ଆଗାମୀ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ବୈଠକରେ ଦାବି କରିଛନ୍ତି ବିରୋଧୀ । ବିଜେଡି ବ୍ୟତୀତ ଅନ୍ୟ ଦଳମାନଙ୍କ ତରଫରୁ ନିର୍ବାଚନ ଘୁଞ୍ଚାଇବା ପାଇଁ ଦାବି କରାଯାଇଛି । ଆଜିର ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହ ବିଭିନ୍ନଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ବୈଠକ ପରେ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, ରାଜନୈତିକ ଦଳମାନଙ୍କ ସହ ଆଲୋଚନା ଶେଷ ହୋଇଛି । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ବାଚନ ହେବ କି ନାହିଁ ସେ ବିଷୟରେ ଆଲୋଚନା କରାଯିବ । ୫ ରାଜ୍ୟର ନିର୍ବାଚନ ପାଇଁ ଅସିଥିବା ଗାଇଡଲାଇନକୁ ଅନୁକରଣ କରି ରାଜ୍ୟ ନିର୍ବାଚନ କମିଶନ ଖୁବଶୀଘ୍ର ପଞ୍ଚାୟତ ନିର୍ବାଚନ ନେଇ ଗାଇଡ଼ଲାଇନ ପ୍ରକାଶ କରିବାକୁ ଯାଉଛନ୍ତି । ତିନି ପ୍ରମୁଖ ଦଳ ବିଜେଡି-କଂଗ୍ରେସ-ବିଜେପି ସର୍ବଦଳୀୟ ବୈଠକରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି ।

ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ରଖାଯାଇଛି ଏକାଧିକ ପ୍ରସ୍ତାବ :
୧ – ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗ ଉଠାଇ ଯେ ପର୍ୟ୍ୟନ୍ତ ଯାଏ ଏ ସମସ୍ୟାର ସମାଧାନ ନ ହୋଇଛି । ସେ ପର୍ୟ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ବିଜେପିର ଦାବି
୨ – ପେସା ଆଇନ ଲାଗୁ ହେଉଥିବା ଜିଲ୍ଲାରେ ମଧ୍ୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନି । କନ୍ଧମାଳ ଓ କୋରାପୁଟରେ ଏହିଭଳି ହୋଇଛି ।
୩ – ଭୋଟର ତାଲିକାରେ ଅନେକ ତ୍ରୁଟି ହୋଇଛି ।
୪ – କୋଭିଡ ମହାମାରୀର ପିକ ପିରିୟଡ଼ ସମୟରେ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ଦୁଇ ମାସ କି ତିନି ମାସ ନିର୍ବାଚନ ଘୁଞ୍ଚେଇବା ପାଇଁ ଦାବି ରଖିଲା ବିଜେପି ।
୫ – ଭୋଟର ଗଣନା କେନ୍ଦ୍ରରେ ସିସି ଟିଭି ବ୍ୟବସ୍ଥା କରାଯାଉ
୬- ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ମରାଯାଉଥିବା ହୋଡ଼ିଂକୁ ଉଚ୍ଛେଦ କରାଯାଉ
୭ – ଦୀର୍ଘ ଦିନ ଗୋଟିଏ ସ୍ଥାନରେ ରହିଥିବା ଅଧିକାରୀ ମାନଙ୍କୁ ବଦଳି କରାଯାଉ
୮ – ଅବାଧ ଓ ସ୍ୱଚ୍ଛ ନିର୍ବାଚନ କରିବାକୁ ବିଜେପିର ଦାବି
