ଓଡିଶା

କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ ନ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

କଟକ: କରୋନା ସଂକ୍ରମିତଙ୍କ ପରିଚୟ ସାର୍ବଜନୀନ କରିବା ଉପରେ ପୁଣି ହାଇକୋର୍ଟ ଅଙ୍କୁଶ ଜାରି କରିଛନ୍ତି। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ କରୋନା ସଂକ୍ରମିତଙ୍କ ପରିଚୟ ପ୍ରକାଶ ନ କରିବାକୁ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ପ୍ରସଂଗରେ ଗଣମାଧ୍ୟମର ଦାୟିତ୍ବ ଓ ଭୂମିକା ଉପରେ ମଧ୍ୟ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ କରୋନା ସଂପର୍କିତଙ୍କ ପରିଚୟ ଓ ଅନ୍ୟ ତଥ୍ୟ ପ୍ରକାଶ ପାଉଥିବାବେଳେ ଏଥି ପ୍ରତି ଦୃଷ୍ଟି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପ୍ରସଂଗରେ ସଚେତନତା ସୃଷ୍ଟି ଉପରେ ଖଣ୍ଡପୀଠ ଗୁରୁତ୍ବାରୋପ କରିଛନ୍ତି। ଏଥି ସହିତ କରୋନା ଯୁଦ୍ଧରେ ମୃତ୍ୟ ବରଣ କରୁଥିବା ଯୋଦ୍ଧାଙ୍କ ନାଁ ସେମାନଙ୍କ ପରିବାର ସଦସ୍ୟଙ୍କ ସମ୍ମତିରେ ପ୍ରକାଶ କରିବା ପାଇଁ ଖଣ୍ଡପୀଠ ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି।
ଆଜି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କରୋନା ଜନିତ ପରିସ୍ଥିତିର ମୁକାବିଲା ପାଇଁ ନିୟୋଜିତ ବ୍ୟକ୍ତିଙ୍କ ଅନେକ ସମୟରେ ମୃତ୍ୟୁ ହେଉଛି। ଏଭଳି ବ୍ୟକ୍ତିଙ୍କୁ ସରକାର କରୋନା ଯୋଦ୍ଧାର ମାନ୍ୟତା ଦେବା ସହିତ ସମ୍ମାନ ପ୍ରଦାନ କରୁଛନ୍ତି। ଏଭଳି କରୋନା ଯୋଦ୍ଧାଙ୍କ ନାଁ ତାଙ୍କ ପରିବାରର ଅନୁମତି ନେଇ ପ୍ରକାଶ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଥି ସହିତ ଖଣ୍ଡପୀଠ ଆଜି ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆବେଦନକାରୀ ଅନଙ୍ଗ କୁମାର ଓ ତାଙ୍କ ପକ୍ଷରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ କରୋନା ଭୂତାଣୁ ସଂକ୍ରମଣରେ ଶିକାର ବ୍ୟକ୍ତିଙ୍କ ପରିଚୟ ବାହାରେ ପ୍ରକାଶ ନ କରିବା ପାଇଁ କେନ୍ଦ୍ର ସରକାର ନିୟମ କରିଥିଲେ। କିନ୍ତୁ ରାଜ୍ୟର ପଞ୍ଚମ କରୋନା ସଂକ୍ରମିତଙ୍କ ନାଁ ଓ ଘର ଠିକଣା ସେ କାହା ସଂସ୍ପର୍ଶରେ ଆସିଥିଲେ ଜାଣିବା ପାଇଁ ଆବଶ୍ୟକ ଦର୍ଶାଇ ବାହାରେ ପ୍ରକାଶ କରାଯାଇଥିଲା। ପରବର୍ତ୍ତୀ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ୧୩ଜଣ କରୋନା ସଂକ୍ରମିତଙ୍କ ପରିଚୟ, ବୟସ, ଠିକଣା ବାହାରେ ପ୍ରକାଶ କରାଯାଇଥିଲା। ଏପରି କରାଯିବା ଦ୍ବାରା ନିୟମ ଉଲ୍ଲଂଘନ ହେଉଛି। ଏଭଳି କାର୍ୟ୍ୟ ଉପରେ ରୋକ ଲାଗାଇବାକୁ ହାଇକୋର୍ଟରେ ଆବେଦନ ହୋଇଥିଲା ।

Related posts

କର୍ପୋରେଟ୍‌ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ଛାତ୍ର ବିଜେଡ଼ି ପକ୍ଷରୁ ଏକ ସପ୍ତାହବ୍ୟାପୀ “ଜୀବନବିନ୍ଦୁ” କାର୍ଯ୍ୟକ୍ରମ ଶୁଭାରମ୍ଭ

mahabharatanews

ପ୍ରତ୍ୟାର୍ପଣ ବିରୋଧରେ ମାଲ୍ୟାଙ୍କ ଲଣ୍ଡନ କୋର୍ଟରେ ଆବେଦନ

mahabharatanews