ରାୟଗଡ଼ା: ପୁଣି ଜନନୀ ଯନ୍ତ୍ରଣା । ଏଭଳି ଅଭାନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ମଧୁବନ ପଞ୍ଚାୟତର ଜିମାରାଓ ଗାଁରେ । ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ପଶି ପାରିନଥିଲା । ଅନ୍ୟପଟେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ବାଧ୍ୟ ହୋଇ ପରିବାର ଲୋକେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହାୟତାରେ ମହିଳାଙ୍କୁ ଭାରରେ ୪ କିଲୋମିଟର ବୋହି ନେଇଥିଲେ । ଆଉ ପହଞ୍ଚି ଆମ୍ବୁଲାନ୍ସରେ ମେଡିକାଲ୍ ନେବା ବାଟରେ ଜନ୍ମ ହୋଇଥିଲା ଏକ ଶିଶୁ କନ୍ୟା । ଡ୍ରାଇଭର ଡି. ସୁରେଶ ବାବୁଙ୍କୁ ଏଥିପାଇଁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।
ସୂଚନା ଅନୁଯାଇ ; ଜିମାରାଓ ଗାଁର ଅର୍ଜୁନ ଜାଗରଙ୍ଗାଙ୍କ ପତ୍ନୀ ସୁଭଦ୍ରାଙ୍କ ପ୍ରସବ ସମୟ ହୋଇଥିଲା । ଏହା ପରେ ଆଶା ଦିଦି ୧୦୨ ଆମ୍ବୁଲାନ୍ସକୁ ଡାକିଥିଲେ । ସକାଳ ୬ଟାରେ ଆମ୍ବୁଲାନ୍ସ ଜିମାରାଓ ଗାଁ ଠାରୁ ୪କିମି ଦୂରରେ ଅଟକି ରହିଥିଲା । ପରେ ଆମ୍ବୁଲାନ୍ସ ଡ୍ରାଇଭର ଗାଁକୁ ଯାଇ ସମ୍ପର୍କୀୟଙ୍କ ସହ ମିଶି ଭାର କରି ଗର୍ଭବତୀଙ୍କୁ ୪ କିମି ବୋହି ଆଣିଥିଲେ ।ଆଉ ସେଠାରେ ଆମ୍ବୁଲାନ୍ସରେ ମେଡିକାଲ୍ ନେବା ବାଟରେ ଜନ୍ମ ହୋଇଥିଲା ଏକ ଶିଶୁ କନ୍ୟା । ଏବେ ନବଜାତ ଶିଶୁ ଓ ମାଆ ଉଭୟଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ରହିଛି । ଉଭୟ ଗୁଡ଼ାରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।