ଅପରାଧଓଡିଶା

ଲୋମଟାଙ୍କୁରା ଘଟଣା : ଯୁବତୀଙ୍କୁ ବନ୍ଧକ ରଖି ୪ ଦିନ ଗଣଦୁଷ୍କର୍ମ

ରାଉରକେଲା: ଯୁବତୀଙ୍କ ବିଶ୍ୱାସରେ ବିଷ । କାମ ଦେବାର ବାହାନା କରି ଯୁବତୀଙ୍କୁ ଅପହରଣ କରିନେଲେ ଦୁଇ ଅଭିଯୁକ୍ତ । ଏହାପରେ ପୀଡ଼ିତାଙ୍କୁ ବନ୍ଧକ ରଖି ଏକାଧିକ ସ୍ଥାନରେ ୪ଦିନ ଧରି ଗଣଦୁଷ୍କର୍ମ କରିଥିଲେ। ସ୍ମାର୍ଟସିଟି ରାଉରକେଲାରେ ଘଟିଛି ଏପରି ଲୋମଟାଙ୍କୁରା ଘଟଣା । ଅଭିଯୋଗ ପରେ ପ୍ଲାଣ୍ଟ୍ସାଇଟ୍ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।

ଦୁଇ ଅଭିଯୁକ୍ତ ହେଲେ ବଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରିର ଏତୁଆ ଓରାମ(୩୯) ଏବଂ ଶଙ୍କର କିସାନ(୪୫) । ଉଭୟ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ପୀଡ଼ିତା( ୨୦ ବର୍ଷ) ମଧ୍ୟ ମୂଲ ଲାଗି ନିଜ ପରିବାରକୁ ପୋଷୁଥିଲେ। ବିଭିନ୍ନ ପ୍ରକଳ୍ପରେ ଏକାଠି କାମ କରିବା ବେଳେ ପୀଡ଼ିତା ଓ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରେ ଏତେ ଘନିଷ୍ଠତା ନଥିଲା।

ଗତ ୧୫ ତାରିଖର ଘଟଣା। ପୀଡ଼ିତା ସକାଳୁ ମନ୍ଦିର ଯାଇଥିଲେ। ଦିନ ପ୍ରାୟ ୧୦ଟାରେ ମନ୍ଦିରରୁ ଫେରି ଘରକୁ ଯିବା ପାଇଁ ବଣାଇ ଥାନା ଅନ୍ତର୍ଗତ ନରେନ୍ଦ୍ରଛକରେ ଅଟୋକୁ ଅପେକ୍ଷା କରିଥିଲେ। କିଛି ସମୟପରେ ଦୁଇ ଅଭିଯୁକ୍ତ ସେଠାରେ ଏକ ମୋଟର ସାଇକଲରେ ପହଞ୍ଚି ଏକ ନିର୍ମାଣକାର୍ୟ୍ୟରେ ମଜୁରିଆ ଆବଶ୍ୟକ ଥିବା କହିଥିଲେ। ଫଳରେ ପୀଡ଼ିତା ସେମାନଙ୍କ ମିଛ ଜାଲରେ ଫସିଯାଇ ମୋଟରସାଇକଲରେ ବସିଥିଲେ।

ତେବେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ସିଧାସଳଖ ରାଉରକେଲା ନେଇ ଆସିଥିଲେ। ଏହାପରେ ପ୍ଲାଣ୍ଟ୍ସାଇଟ୍ ଥାନା ଅନ୍ତର୍ଗତ ଏକ ହୋଟେଲରେ ରଖି ରାତିସାରା ଗଣଦୁଷ୍କର୍ମ କରିଥିଲେ। ତା’ପରଦିନ, ଅର୍ଥାତ୍ ୧୬ ତାରିଖରେ ପୀଡ଼ିତାଙ୍କୁ ହୋଟେଲରୁ ସ୍ଥାନୀୟ ବାଲୁଘାଟର ଜଣେ ଅଟୋଚାଳକଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ମଧ୍ୟ ଉଭୟ ଅଭିଯୁକ୍ତ ତିନିଦିନଧରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।

ତେବେ ୧୯ ତାରିଖ ସକାଳେ ଘରେ କେହି ନଥିବାର ସୁଯୋଗ ନେଇ ପୀଡ଼ିତା ପଳାଇ ଆସି ଆଇଟିଆଇ ଛକ ନିକଟରେ ଅସହାୟ ଭାବେ ବୁଲୁଥିଲେ। ପୀଡ଼ିତାଙ୍କ ପୋଷାକ ଓ ହାବଭାବକୁ ଦେଖି କିଛି ସ୍ଥାନୀୟ ବ୍ୟକ୍ତି ପଚରାଉଚରା କରିବାରୁ ଘଟଣା ସଂପର୍କରେ ଜଣାପଡ଼ିଥିଲା। ଲିଖିତ ଅଭିଯୋଗ ପରେ ପ୍ଲାଣ୍ଟ୍ସାଇଟ ପୋଲିସ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି।

Related posts

ୟୂୁଟ୍ୟୁବରେ ଅଶ୍ଲୀଳ ପୋଷ୍ଟ ପଡିଲା ମହଙ୍ଗା

mahabharatanews

ପତାକା ଉତ୍ତୋଳନ ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଫସଲ ନଷ୍ଟ

mahabharatanews