(ଜୟନ୍ତ କୁମାର ସେଠୀ/ପୁରୀ): ପୁରୀ ସହରରେ କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ସ୍ବେଚ୍ଛାସେବୀ ନିୟୋଜିତ ରହି ସଚେତନତା ସୃଷ୍ଟି କରିବେ । ଏମାନେ ସାଧାରଣ ଲୋକ ଓ ପ୍ରଶାସନ ମଧ୍ୟରେ ସେତୁ ଭାବେ କାମ କରିବେ । ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଟାଉନହଲ ଠାରେ ଅନୁଷ୍ଠିତ ଏକ ବୈଠକରେ ସୂଚନା ଦେଇଛନ୍ତି । ଏହି ସ୍ୱେଚ୍ଛାସେବୀମାନେ ବଳିଆପଣ୍ଡା ଓ ବାଲିନୋଳିଆ ସାହିରେ କାର୍ୟ୍ୟ କରିବେ । ପ୍ରତି ୨୫ ଘରକୁ ଜଣେ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ସ୍ବେଚ୍ଛାସେବୀମାନେ ସଂପୃକ୍ତ ବସ୍ତିର ହୋଇଥିବେ ଓ ସେବା ମନୋଭାବ ରଖି କାର୍ୟ୍ୟ କରିବେ । କରୋନା ସଚେତନତା ସୃଷ୍ଟି କରିବା ପାଇଁ ଉଭୟ ପୁରୁଷ ଓ ମହିଳା ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ସେମାନେ ସୁସ୍ଥ ଥିବା ସହ ୪୦ ବର୍ଷରୁ କମ ବୟସର ହୋଇଥିବେ । ଦୈନିକ ୬ ଘଣ୍ଟା ସମୟ ଦେବା ସାଙ୍ଗକୁ ସୋସିଆଲ ମିଡିଆର ବ୍ୟବହାର ଏବଂ ଓଡ଼ିଆ ଭାଷା ଜଣାଥିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି । ସେମାନେ କାମ କରୁଥିବା ବସ୍ତିରେ ଥିବା ପରିବାର ଗୁଡିକୁ ଜ୍ଜର, ଥଣ୍ଡା, କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ଦେବା ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ସଚେତନ କରାଇବେ । ବାହାର ବ୍ୟକ୍ତି ବସ୍ତିକୁ ଆସିଲେ ଏବଂ କେହି ସଙ୍ଗରୋଧ ନିୟମ ଉଲଘଂନ କଲେ ସେ ସଂପର୍କରେ ମଧ୍ୟ ତଥ୍ୟ ହାସଲ କରିବେ । ସଂପୃକ୍ତ ଅଞ୍ଚଳରୁ କୈଣସି ବ୍ୟକ୍ତି ବାହାରକୁ ଗଲେ ମଧ୍ୟ ତଥ୍ୟ ରହିବ । ହୋଡିଂ, ଡାକବାଜି ଓ ପ୍ରଚାରପତ୍ର ମାଧ୍ୟମରେ ମଧ୍ୟ ସଚେତନ କରାଯିବ । ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରାଯାଇ ସ୍ବେଚ୍ଛାସେବୀ ନିୟୋଜିତ ହେବେ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପୁରୀ ସହରରେ ଘରକୁ ଘର ବୁଲି କରୋନା ସଂପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି । ଏଥି ନିମନ୍ତେ ୬୪ଟି ଟିମ ନିୟୋଜିତ ଅଛନ୍ତି । ଏଥିରେ ଆଶା, ଅଙ୍ଗନଓ୍ବାଡି ଓ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ଅଛନ୍ତି । ଆଜି ସୁଦ୍ଧା ପ୍ରାୟ ୩୫ ହଜାର ପରିବାରରୁ ତଥ୍ୟ ସଂଗ୍ରହ କରାଯାଇଛି। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ ଓ ବିଭିନ୍ନ ବସ୍ତିର ନେତୃସ୍ଥାନୀୟ ବ୍ୟକ୍ତି, ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।
previous post
next post