(ମାଲକାନଗିରି) : ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଗମନାଗମନ, ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଟେଲିଯୋଗାଯୋଗ ଆଦି ଅନେକ ମୌଳିକ ସେବା ସୁବିଧାରେ ଉପଲବ୍ଧ ହେଉଛି । ରୂପାନ୍ତର ପ୍ରକ୍ରିୟାରେ ସ୍ୱାଭିମାନ ଅଞ୍ଚଳ ତ୍ୱରିତ ଗତିରେ ଆଗକୁ ବଢୁଛି । ସ୍ୱାଭିମାନ ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସେତୁ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାକୁ ଆହୁରି ଆଗକୁ ନେଇ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚିତ୍ରକୋଣ୍ଡା ବ୍ଲକ୍ରେ ୩ଟି ବୃହତ ସେତୁ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସେଥିପାଇଁ ୧୦୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ସୂଚନାନୁଯାୟୀ , ଏହାଦ୍ବାରା ସ୍ବାଭିମାନ ଅଞ୍ଚଳର ୩୭ ହଜାର ଲୋକ ଉପକୃତ ହେବେ । ଗମନାଗମନର ସୁବିଧା ସହିତ ସାମାଜିକ ସୁବିଧା ସୁଯୋଗ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ମାଲକାନଗିରି ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ।
