(ହିମାଚଳ) : ମୌସୁମୀ ଆସିବା ପରଠାରୁ ସାରା ଦେଶରେ ଏବେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ବିପର୍ଯ୍ୟୟ ଆଣିଛି। ବର୍ଷା ଜନିତ ବିଭିନ୍ନ କାରଣ ପାଇଁ ଦେଶରେ ୧୬ ଜଣଙ୍କର ମୃତ୍ୟୁ ହେଲାଣି। ଅଚାନକ ବନ୍ୟା ଓ ଭୂସ୍ଖଳନ ଯୋଗୁ ରାଜ୍ୟରେ ଏଯାବତ୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ୨୪ ଘଣ୍ଟାର ବର୍ଷାରେ ୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ୧୨୪ଟି ରାସ୍ତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏଥିରେ ୨ଟି ରାଜପଥ ମଧ୍ୟ ଅଛି।
ସୂଚନାନୁଯାୟୀ, ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଦୀର୍ଘ ସମୟ ଧରି ବନ୍ଦ ରହିଥିଲା। ୧୫ କିମି ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ ଜାମସମସ୍ୟା ଉପୁଜିଥିଲା। ୨୦୦ରୁ ଅଧିକ ଲୋକ ଏବଂ ମୁଖ୍ୟତଃ ପର୍ଯ୍ୟଟକମାନେ ଗତକାଲି ସନ୍ଧ୍ୟାରୁ ଆଖପାଖରେ ହୋଟେଲ ନପାଇ ରାସ୍ତା ଉପରେ ସାରା ରାତି ଏବଂ ଦିନ କାଟିଛନ୍ତି। ଆଇଏମଡି ପକ୍ଷରୁ ଆସନ୍ତାକାଲି ପାଇଁ ଅରେଂଜ ଆଲର୍ଟ ଜାରି କରାଯାଇଛି।
