ଓଡିଶା

ରାଜ୍ୟ ପାଇଁ ବଳିଦାନ ଦେଲେ ଜନଜାତି ୪୦ ପ୍ରତିଶତ

ଭୁବନେଶ୍ବର: ରାଜ୍ୟ ପାଇଁ ବଳିଦାନ ଦେଲେ ୪୦ ପ୍ରତିଶତ ଜନଜାତି। ସ୍ବାଧୀନତା ପରେ ହୀରାକୁଦ ଜଳଭଣ୍ଡାରର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ରାଷ୍ଟ୍ରର ବିକାଶ ପାଇଁ ସ୍ଥାନୀୟ ଲୋକଙ୍କୁ ବଳିଦାନ ପାଇଁ ଆହ୍ବାନ କରିଥିଲେ। ଦେଶରେ ଅନୁସୂଚିତ ଜନଜାତି ବର୍ଗ ହିଁ ଏହି ଆହ୍ବାନକୁ ଗ୍ରହଣ କରି ଆଜି ପର୍ଯ୍ୟନ୍ତ ବଳିଦାନ ଦେଇ ଆସୁଛି। ଏକମାତ୍ର ଓଡ଼ିଶାରେ ସମୁଦାୟ ବିସ୍ଥାପନର ୪୦ ପ୍ରତିଶତରୁ ଉର୍ଧ୍ବ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି। କିନ୍ତୁ ଆଜିବି ସେମାନଙ୍କ ବଳିଦାନକୁ ସମ୍ମାନ ଦିଆଯାଇ ପାରି ନାହିଁ କି ବିଭିନ୍ନ ପ୍ରକଳ୍ପରେ ବିସ୍ଥାପିତ ଏବଂ ପ୍ରଭାବିତ ଅନୁସୂଚିତ ଜନଜାତିଙ୍କୁ ଉପଯୁକ୍ତ ଭାବରେ ଥଇଥାନ କରାଯାଇ ନାହିଁ।

ସମ୍ବଲପୁରଠାରୁ ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ସବୁଠି ଏହା ଦେଖିବାକୁ ମିଳିଛି। ଏହାକୁ ଭିତ୍ତି କରି ସ୍ବାଧୀନତା ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ପ୍ରକଳ୍ପରେ ବିସ୍ଥାପିତ ଅନୁସୂଚିତ ଜନଜାତି ପରିବାରଙ୍କ ଥଇଥାନ ନେଇ ରିପୋର୍ଟ ତଲବ କରିଛନ୍ତି ଜାତୀୟ ଅନୁସୂଚିତ ଜନଜାତି କମିସନ। ୩୦ ଦିନ ମଧ୍ୟରେ ଏଥିସଂକ୍ରାନ୍ତରେ ଉତ୍ତର ପ୍ରଦାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ହୋଇଛି। ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦାଖଲ ପିଟିସନକୁ ଭିତ୍ତି କରି ଏହି ରିପୋର୍ଟ ଦାଖଲ ପାଇଁ କୁହାଯାଇଛି।

ସୂଚନାନୁସାରେ , ୧୯୫୧ରୁ ୧୯୯୧ ମସିହା ମଧ୍ୟରେ ରାଜ୍ୟର ସମୁଦାୟ ବିସ୍ଥାପନର ୪୦ ପ୍ରତିଶତ ଏବଂ ପ୍ରଭାବିତଙ୍କ ମଧ୍ୟରୁ ୪୩.୧୪ ପ୍ରତିଶତ କେବଳ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି। ଅର୍ଥାତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପରେ ବିସ୍ଥାପିତ ୬ ଲକ୍ଷ ୩୨ ହଜାର ୬୩୪ ଜଣଙ୍କ ମଧ୍ୟରୁ ୨ ଲକ୍ଷ ୫୫ ହଜାର ୩୧୭, ପ୍ରଭାବିତ ୮ ଲକ୍ଷ ୩୩ ହଜାର ୨୭୫ ଜଣଙ୍କ ମଧ୍ୟରୁ ୩ ଲକ୍ଷ ୬୦ ହଜାର ୯୯୯ ଏହି ବର୍ଗର ମଣିଷ। ଜଳସେଚନ ଏବଂ ଜଳଭଣ୍ଡାର ପାଇଁ ୧ ଲକ୍ଷ ୫୩ ହଜାର ୫୪୦ (ସମୁଦାୟ ବିସ୍ଥାପନର ୩୭.୪୫%), ଶିଳ୍ପାୟନରେ ୨୫,୯୩୭(୩୬.୧୩%),ଖଣିରେ ୫୦ ହଜାର (୫୦%), ପାର୍କ ଏବଂ ନିର୍ମାଣ କାର୍ଯ୍ୟରେ ୮୪୦ ( ଶତ ପ୍ରତିଶତ), ଅନ୍ୟ ପ୍ରକଳ୍ପ ୧୧ ହଜାର (୨୨%)ଅନୁସୂଚିତ ଜନଜାତିର ଅଟନ୍ତି।

ସୂଚନାନୁସାରେ, ରାଜ୍ୟରେ ୭ ପ୍ରମୁଖ ପ୍ରକଳ୍ପରେ ବିସ୍ଥାପିତ ୫୨ ହଜାର ୫୮୪ ବିସ୍ଥାପିତଙ୍କ ମଧ୍ୟରୁ ୧୦ ହଜାର ୪୯୮ ଜଣ ଏସଟି। ଏହି ସବୁ ପ୍ରକଳ୍ପ ଗୁଡ଼ିକ ମୁଖ୍ୟତଃ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, କୋରାପୁଟରେ ଜଳସେଚନ, ବନ୍ୟା ନିୟନ୍ତ୍ରଣ କିମ୍ବା ଜଳ ବିଦ୍ୟୁତ ଉତ୍ପାଦନ ପାଇଁ କରାଯାଇଛି। ସ୍ବାଧୀନ ଭାରତର ପ୍ରଥମ ପ୍ରକଳ୍ପ ହୀରାକୁଦର ୨୬ ହଜାର ୫୦୧ ବିସ୍ଥାପିତଙ୍କ ମଧ୍ୟରୁ ୧୬୩୬, ରେଙ୍ଗାଲିର ୧୧, ୨୮୯ ମଧ୍ୟରୁ ୧୩୨୮, ଅପରଇନ୍ଦ୍ରାବତୀର ୫୩୪୪ରୁ ୨୨୬୦, ବାଲିମେଳାର ୨୫୦୦ରୁ ୧୪୫୦, ସାଲନ୍ଦିର ୯୪୫ରୁ ୮୯୩, ମାଛକୁଣ୍ଡର ୨୯୩୮ରୁ ୧୫୦୦ କେବଳ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି। ପ୍ରମୁଖ ୭ ଜଳସେଚନ ପ୍ରକଳ୍ପରେ ବିସ୍ଥାପିତ ୨୯୦୫୩ଙ୍କ ମଧ୍ୟରୁ ୧୨ ହଜାର ୪୧୫ (ସମୁଦାୟ ବିସ୍ଥାପନର ୪୨.୭୩ ପ୍ରତିଶତ), ୩୦ଟି ମଧ୍ୟମ ଜଳସେଚିତ ପ୍ରକଳ୍ପର ବିସ୍ଥାପିତ ୯୧୫୩ ମଧ୍ୟରୁ ୪୫୫୭ (୪୯.୪୭%) କେବଳ ଅନୁସୂଚିତ ଜନଜାତି ବର୍ଗର। ଏହି ପିଟିସନରେ କୋରାପୁଟ, ମୟୂରଭଞ୍ଜ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝରର ବିସ୍ଥାପିତଙ୍କ ଥଇଥାନକୁ ଗୁରୁତ୍ବ ଦେଇ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି।

ସ୍ବାଧୀନତା ପରେ ଆଦିବାସୀ ପ୍ରଭାବିତ କୋରାପୁଟ ଜିଲ୍ଲାର ଲୋକେ ସର୍ବାଧିକ କଷ୍ଟ ପାଇଛନ୍ତି। ୧୯୬୫ରୁ ୧୯୯୦ ମସିହା ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଯୋଗୁଁ ଅଧିଗୃହୀତ ଜଙ୍ଗଲ ମଧ୍ୟରୁ କେବଳ ୫୦ ପ୍ରତିଶତ ଏହି ଜିଲ୍ଲାର ଅଟେ। ଏଠାରେ ସ୍ଥିତ ମାଛକୁଣ୍ଡ, ଅପର କୋଲାବ, ହାଲ, ନାଲକୋ ବକ୍ସସାଇଟ ଖଣି, ଦାମନଜୋଡ଼ି, ଇନ୍ଦ୍ରାବତିର ବିସ୍ଥାପିତଙ୍କ ଥଇଥାନ ନେଇ ପ୍ରକୃତ ରେକର୍ଡହିଁ ନାହିଁ। ନାଲକୋ ଯୋଗୁଁ ବିସ୍ଥାପିତ ୨୬ଟି ଗାଁର ୫୯୭ ପରିବାର ମଧ୍ୟରୁ ୨୫୪ ଆଦିବାସୀ, ୫୬ ଦଳିତ ଅଟନ୍ତି। ସୁନାବେଡ଼ା ସ୍ଥିତ ହାଲ ସହିତ ବିଭିନ୍ନ ପ୍ରକଳ୍ପ ପାଇଁ ଟୋଟାପୁଟ, ବିଲାଇଗୁଡ଼ା, ସିନ୍ଧିପୁଟ, ସୋଲାପୁଟ, କାଟିଗାଁ, ପାଙ୍ଗିପୁଟ ପଞ୍ଚାୟତର ୨୦୦ ଗାଁ ବିସ୍ଥାପିତ ହୋଇଛନ୍ତି। ୬୦ ଦଶକରେ ସେମାନେ ଏହି କାରଖାନା ପାଇଁ ଜମି ହରାଇଲେ କିନ୍ତୁ କାହାକୁ ମଧ୍ୟ କ୍ଷତିପୂରଣ ଏପରିକି କମ୍ପାନିରେ ସ୍ଥାୟୀ ଚାକିରି ମଧ୍ୟ ଦିଆଯାଇନଥିବା ହାଲ ବିସ୍ଥାପିତ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ହାଲରେ ବିସ୍ଥାପିତ ପରିବାରଙ୍କୁ ୧୯୮୫ ମସିହାରେ କୋଲାବ ବନ୍ଧ ସମେତ ଆହୁରି କିଛି ପ୍ରକଳ୍ପ ପାଇଁ ପୁନର୍ବାର ବିସ୍ଥାପିତ କରାଗଲା।

 

Related posts

ବଡ ଦିନ ପାଇଁ ବିଭିନ୍ନ ଛକରେ ଚେକିଂ ସହିତ ଫ୍ଳାଗ ମାର୍ଚ୍ଚ

mahabharatanews

ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ; ସଂକ୍ରମଣକୁ ରୋକିବାକୁ ଔଷଧ ସହ ଟେଷ୍ଟିଂ ଜାରି

mahabharatanews

ବଢୁଛି ତାତି 

mahabharatanews