ଭୁବନେଶ୍ୱର/ଶିଳାସ୍ମିତା ରାୟ: ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ କଳି ଦାଣ୍ଡରେ ପଡି ହାଟରେ ଗଡଗଡେଇଲାଣି । ଏକ ମାସର ନିରବତା ପରେ ପୁଣି ଉଭୟ ଉଭୟଙ୍କ ନାମରେ ଅଭିଯୋଗ କରିବାକୁ ଧାଉଁଛନ୍ତି ଥାନାକୁ । ସ୍ଥିତି ଏମିତି ହୋଇଛି କି ଅନୁଭବଙ୍କୁ ଜନସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟରେ ସାମିଲ ହେବାର ଦେଖିବାକୁ ମିଳୁନାହିଁ । ଜନତାଙ୍କ ସ୍ୱାର୍ଥ ସାଧନକୁ ଲକ୍ଷ୍ୟରେ ରଖି କରାଯାଉଥିବା ସରକାରୀ କାର୍ଯ୍ୟରେ ଅନୁଭବଙ୍କ ଉପସ୍ଥିତି ଶୂନ୍ୟ ହୋଇଛି । ଜଣେ ଜନପ୍ରତିନିଧି, ପୁଣି କେନ୍ଦ୍ରାପଡା ପରି ଗର୍ବ ଗୌରବର ମାଟିର ସାଂସଦଙ୍କ ସ୍ଥାଣୁତାକୁ ନେଇ ନାନା ଚର୍ଚ୍ଚା । ଏହି ସ୍ଥାଣୁତା ପାଇଁ ଅନୁଭବଙ୍କ ଘରୋଇ କଳିକୁ ସାଧାରଣ ଲୋକେ ଦାୟୀ କରୁଥିବା ବେଳେ କିନ୍ତୁ ବିଶେଷଜ୍ଞ ଏହାକୁ ଅନ୍ୟ ଦୃଷ୍ଟିରେ ଦେଖୁଛନ୍ତି । “ପତି-ପତ୍ନୀ ଔର ୱ’କୁ ନେଇ ଚାଲିଥିବା ଫ୍ୟାମିଲି ଡ୍ରାମା ଦଳର ସମ୍ମାନହାନୀ କରୁଥିବାରୁ ଦଳ ତାଙ୍କୁ ଆଡ କରୁଥିବା କୁହାଯାଉଛି ।
ଗତ ସପ୍ତାହରେ ଭାଇରାଲ ହୋଇଥିବା ଏକ ଭିଡିଓ ବିରୁଦ୍ଧରେ ବର୍ଷା ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ତାଙ୍କ ଘରକୁ ପ୍ରବେଶ କରେଇ ନ ଦେବାକୁ ଦ୍ୱିତୀୟ ଅଭିଯୋଗ ହେବା ପରେ ଅନୁଭବ ଚୁପ ବସି ନାହାନ୍ତି । ସେ ମଧ୍ୟ ବର୍ଷା ତଥା ତାଙ୍କ ଭଉଣୀମାନଙ୍କ ନାମରେ ଡିସିପିଙ୍କୁ ଅଭିଯୋଗ କରିଛନ୍ତି । ବର୍ଷା ଓ ତାଙ୍କ ପରିବାର ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅନୁଭବ ପତ୍ନୀଙ୍କୁ ଛାଡପତ୍ର ଦେଇ ବାନ୍ଧବୀଙ୍କୁ କୋଳେଇ ନେବା କାର୍ଯ୍ୟରେ ବ୍ୟସ୍ତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏଥିନେଇ ଶାସକ ଦଳକୁ ମଧ୍ୟ ସମାଲୋଚନା କରିବାକୁ ଲୋକେ ପଛାଉ ନାହାନ୍ତି । ଜଣେ ଅପରିପକ୍ୱ, ଅର୍ଦ୍ଧ ଶିକ୍ଷିତ ତଥା କଥା ଓ କାମରେ ତାଳ ରଖୁନଥିବା ଯୁବକଙ୍କୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦଳରେ ସାମିଲ କରିବା ସହ ସାଂସଦପରି ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ଆସିନ୍ନ କରି ଜନତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଅନ୍ୟାୟ କରିଥିବା କୁହାଯାଉଛି । ଜନ ସେବା, ଜନସ୍ୱାର୍ଥର କଥା କହୁଥିବା ଦଳର ମୁଖ୍ୟ ଜଣେ ନିହାତି ଦାୟିତ୍ୱହୀନ ବ୍ୟକ୍ତିଙ୍କୁ ପ୍ରତିନିଧି କରିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ନିଜ ପସନ୍ଦରେ ୭ ଜନ୍ମ ପାଇଁ ବର୍ଷାଙ୍କୁ ଜୀବନ ସାଥି ବାଛିଥିବା ବ୍ୟକ୍ତି ବିବାହର ୭ ବର୍ଷ ମଧ୍ୟ ପୂରଣ କରି ପାରି ନ ଥିବା ବେଳେ କୋଟିକୋଟି ଜନତାଙ୍କ ସହ କେଉଁ ସମ୍ପର୍କ ସ୍ଥାପନ କରିବେ କି ସେବା କରିବେ ବୋଲି ପ୍ରଶ୍ନ କରୁଛନ୍ତି ଓଡିଶାବାସୀ ।
ଅନ୍ୟପଟେ ବିଶେଷଜ୍ଞ କହୁଛନ୍ତି, ଗତ ଦୁଇଟି ସାଧାରଣ ନିର୍ବଚାନରେ ଅନୁଭବ ଷ୍ଟାର ପ୍ରଚାରକ ଥିଲେ । ଲୋକ ସାଉଁଟିବାରେ ସେ ଦଳ ପାଇଁ କାର୍ଯ୍ୟ କରିଥିଲେ । ଏପରିକି ଗତ ନିର୍ବାଚନରେ ପତ୍ନୀ ବର୍ଷାଙ୍କୁ ନେଇ ଅନୁଭବ ପ୍ରଚାର ମଇଦାନକୁ ଜମେଇ ଦେଇଥିଲେ । କିନ୍ତୁ ସେପ୍ଟେମ୍ବର ମାସରେ ବର୍ଷା ଅନୁଭବଙ୍କ ନାମରେ ଘରୋଇ ହିଂସାର ଅଭିଯୋଗ ଆଣିଲେ । ଏହାପରେ ଅନୁଭବ ମଧ୍ୟ ଦିଲ୍ଳୀର ପଟିଆଲା କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ଉଭୟଙ୍କ ଉପରେ ରାଜ୍ୟବାସୀଙ୍କ ନଜର ରହିଥିବା ବେଳେ ସାଂସଦ ସଂସଦୀୟ ଗରିମାକୁ ପଛରେ ପକାଇ ତାଙ୍କ ଅତି ଅନ୍ତରଙ୍ଗ ବାନ୍ଧବୀ ଜାଗ୍ରତିଙ୍କ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ସମାଲୋଚିତ ହେବା ସହ ଦଳର ସମ୍ମାନକୁ ତଳେ ପକାଇଛନ୍ତିି ।
୨୦୧୩ରେ ତକ୍ରାଳୀନ ମନ୍ତ୍ରୀ ରଘୁ ମହାନ୍ତିଙ୍କ ବୋହୂ ବର୍ଷା ସୋନିଙ୍କ ଦ୍ୱାରା ହୋଇଥିବା ଯୌତୁକ ନିର୍ଯାତନାକୁ ନେଇ ରଘୁ ଓ ତାଙ୍କ ପରିବାରକୁ ଜେଲ ଯିବାକୁ ପଡିଥିବା ବେଳେ ଅନୁଭବଙ୍କ କ୍ଷେତ୍ରରେ ଦଳ ମୁଖ୍ୟଙ୍କ ନିରବତାକୁ ନେଇ ସବୁସ୍ତରରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରାଯାଉଛି । ତେବେ ଅନୁଭବଙ୍କୁ ଏଯାବତ୍ ଦଳରୁ ବହିଷ୍କାର ବା ପଦ ଛାଡିବାକୁ ବାଧ୍ୟ କରାଯାଇ ନ ଥିଲେ ମଧ୍ୟ ଦଳରେ ତାଙ୍କ ବିରୋଧରେ ମୋର୍ଚ୍ଚା ଆରମ୍ଭ ହୋଇ ଯାଇଥିବା ଶୁଣିବାକୁ ମିଳିଛି । ଅନୁଭବ ଜଣେ ସାଂସଦ ହୋଇ ମଧ୍ୟ ପଦ ମର୍ଯ୍ୟାଦାକୁ ସମ୍ମାନ ନଦେଇ ଅପରିପକ୍ୱତା ପ୍ରଦର୍ଶନ କରି ଚାଲିଥିବାରୁ ମୁଖ୍ୟ ଓ ଦଳ ଖପ୍ପା । ତେଣୁ ତାଙ୍କୁ ଗତ ଦୁଇଟି ଉପନିର୍ବାଚନରେ ପ୍ରଚାରରୁ ଦୂରେଇ ରଖାଯାଇଥିବା ବିଶେଷଜ୍ଞ କହୁଛନ୍ତି ।
ସେହିପରି ୫ଟି ସଚିବଙ୍କ କେନ୍ଦ୍ରାପଡା ଗସ୍ତ କରି ପ୍ରସ୍ତାବିତ ଆଖଡାଶାଳି ବନ୍ଦର ପ୍ରକଳ୍ପର ସରଜମିନ ଅନୁଧ୍ୟାନ କରିଥିଲେ । ସାଙ୍ଗରେ ଥିଲେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ପରିବହନ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ବହୁ ଅଧିକାରୀ । କିନ୍ତୁ ସେଠାରେ ସାଂସଦଙ୍କୁ ଦୂରଦୂର ପର୍ଯ୍ୟନ୍ତ ଦେଖିବାକୁ ପାଇନଥିଲେ କେହି । କୁହାଯାଉଛି, ତାଙ୍କ ବାଳୁଙ୍ଗାମୀ ପାଇଁ ଦଳ ସହ ତୃତୀୟ ମହଲା ମଧ୍ୟ ତାଙ୍କ ଉପରେ ଖପ୍ପା । ତାଙ୍କୁ ଏକ ପ୍ରକାର କଣଠେଁସା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ତାଙ୍କୁ ଡକରାଯାଇ ନ ଥିବା ଅନୁମାନ ହେଉଛି । କାରଣ ୫ଟି ସଚିବଙ୍କ ଉପସ୍ଥିତି ଯେଉଁଠି ରହୁଛି ସେଠାକୁ ନିମନ୍ତ୍ରଣ ଥିଲେ ସେ ମଧ୍ୟ ପଡି ଉଠି ଅତନୁଙ୍କ ପରି ସେଠାରେ ପହଞ୍ଚିଥାନ୍ତେ । କିନ୍ତୁ ସେ ଆସି ନାହାନ୍ତି ଯେତେବେଳେ, ଏହା ପ୍ରମାଣିତ କରୁଛି, ଏହି କାର୍ଯ୍ୟରୁ ତାଙ୍କୁ ଦୂରେଇ ରଖାଯାଇଛି । ଅର୍ଥାତ୍ ପତି ପତ୍ନୀ ଔର ୱଃ ରଙ୍ଗ ନେବା ଆରମ୍ଭ କରୁଛି ।
ଆଜି ଖୋଲିକରି ଅନୁଭବଙ୍କ ପ୍ରତି ଦଳର ବରିଷ୍ଠ ନେତା ଦେବାଶୀଷ ସାମନ୍ତରାୟ ଦଳର ଆଭିମୁଖ୍ୟ ତଥା ଦଳର ଅସନ୍ତୋଷକୁ ପ୍ରକାଶ କରିଛନ୍ତି । ନବୀନଙ୍କ ପରି ଜଣେ ଗୁରୁଙ୍କୁ ପାଇ ମଧ୍ୟ ଅନୁଭବ କିଛି ଶିକ୍ଷା ଗ୍ରହଣ ନ କରିବା ଦୁଃଖଦାୟକ । ନବୀନ ବାବୁ ଜଣେ ଆଦର୍ଶ, ଜଣେ ଉଦାହରଣ । ସେ ସମଗ୍ର ଦେଶ ପାଇଁ ଆଦର୍ଶ ହୋଇଥିବା ବେଳେ ତାଙ୍କଠାରୁ କିଛି ଶିକ୍ଷା ନ ପାଇବାକୁ ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି । ଏଥିରୁ ଦଳରେ ଅନୁଭବଙ୍କ ପ୍ରତି ଦୃଢିଭୁତ ହେଉଥିବା ଅସନ୍ତୋଷ ପଦାରେ ପଡିଛି ।