ଭାରତ

ଶିଶୁର ମୃତ୍ୟୁ ହେବା ସ୍ଥିତିରେ ୬୦ ଦିନ ପାଇଁ ମହିଳା କର୍ମଚାରୀମାନଙ୍କୁ ବିଶେଷ ମାତୃତ୍ୱ ଛୁଟି ମିଳିବ !

ବ୍ୟୁରୋ : ଶିଶୁର ମୃତ୍ୟୁ ହେବା ସ୍ଥିତିରେ ୬୦ ଦିନ ପାଇଁ ମହିଳା କର୍ମଚାରୀମାନଙ୍କୁ ବିଶେଷ ମାତୃତ୍ୱ ଛୁଟି ମିଳିବ। କେନ୍ଦ୍ର ସରକାର ମହିଳା କର୍ମଚାରୀମାନଙ୍କ ପାଇଁ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ‘ମାଟରନିଟି ଲିଭ୍‌ ବା ମାତୃତ୍ୱ ଛୁଟି’କୁ ନେଇ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯଦି ପ୍ରସବର ତୁରନ୍ତ ପରେ ନବଜାତ ଶିଶୁର ମୃତ୍ୟୁ ହୁଏ, ତା’ ହେଲେ ଏ କ୍ଷେତ୍ରରେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ବିଶେଷ ମାତୃତ୍ୱ ଅବକାଶ ଦିଆଯିବ। କେନ୍ଦ୍ର ସରକାରଙ୍କ ତରଫରୁ ବର୍ତ୍ତମାନ ଏହି ନିର୍ଣ୍ଣୟ ବିଷୟରେ ଘୋଷଣା କରି ଦିଆଯାଇଛି। ସରକାରଙ୍କ ନିଷ୍ପତ୍ତି ଅନୁସାରେ, ସମସ୍ତ ମହିଳା କର୍ମଚାରୀଙ୍କୁ ପ୍ରସବର ତୁରନ୍ତ ପରେ ନବଜାତ ଶିଶୁର ମୃତ୍ୟୁ ହେବା ସ୍ଥିତିରେ ୬୦ ଦିନର ବିଶେଷ ମାତୃତ୍ୱ ଛୁଟି ମିଳିବ।

DOPT ଏ ବିଷୟରେ ଗତକାଲି ଆଦେଶ ଜାରି କରିଛି। DOPT ତରଫରୁ ଜାରି ଆଦେଶରେ କୁହାଯାଇଛି କି, ମୃତ ଶିଶୁ ଜନ୍ମ ହେବା କିମ୍ବା ଜନ୍ମର ତୁରନ୍ତ ପରେ ନବଜାତକର ମୃତ୍ୟୁ ଘଟିବା ସ୍ଥିତିରେ ମା’ର ଭାବନାକୁ ଶକ୍ତ ଆଘାତ ଲାଗିଥାଏ। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି କି, କର୍ମଜୀବୀ ମା’ ମାନେ ଏପରି ସ୍ଥିତିରେ ୬୦ ଦିନ ଛୁଟିରେ ରହି ପାରିବେ। DOPT ନିଜ ଆଦେଶରେ ଆହୁରି ମଧ୍ୟ କହିଛି ଯେ ଏହି ପ୍ରକାର ଘଟଣାରେ ଜଣେ ମା’ର ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପଡ଼ିଥାଏ।

ମୃତ ଶିଶୁ ଜନ୍ମ କିମ୍ବା ଜନ୍ମ ପରେ ଶିଶୁର ମୃତ୍ୟୁ ଘଟିଲେ, ମାତୃତ୍ୱ ଅବକାଶକୁ ନେଇ ତଥ୍ୟ ସ୍ପଷ୍ଟ କରିବାକୁ ଅନେକ ଅନୁରୋଧମୂଳକ ଆବେଦନ ମିଳିଥିଲା। ଆବେଦନ ମିଳିବା ପରେ ଏ ପ୍ରସଙ୍ଗ ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସହ ବିଚାର-ବିମର୍ଶ କରାଯାଇଥିଲା ଏବଂ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିଲା ବୋଲି DOPT କହିଛି। ତେବେ ଯଦି କୌଣସି ମହିଳା କର୍ମଚାରୀ ପ୍ରସବ ପୂର୍ବରୁ ମାତୃତ୍ୱ ଅବକାଶ ପାଇଛନ୍ତି ଏବଂ ତାଙ୍କର ଛୁଟି ଜନ୍ମ ପରେ ଶିଶୁର ମୃତ୍ୟୁ ସମୟରେ ମଧ୍ୟ ଜାରି ରହିଛି, ତା’ ହେଲେ ଏପରି ସ୍ଥିତିରେ ପୂର୍ବରୁ ପ୍ରାପ୍ତ ମାତୃତ୍ୱ ଅବକାଶକୁ ବିନା ଚିକିତ୍ସା ପ୍ରମାଣପତ୍ରରେ ଅନ୍ୟ ପ୍ରକାର ଅବକାଶରେ ପରିବର୍ତ୍ତନ କରାଯାଇ ପାରିବ।

DOPT ମୁତାବକ, ଏ କ୍ଷେତ୍ରରେ ମହିଳାମାନଙ୍କର ବକଳା ଛୁଟିଗୁଡ଼ିକୁ ଅନ୍ୟ ପ୍ରକାର ଛୁଟିରେ ପରିବର୍ତ୍ତନ କରାଯାଇ ୬୦ ଦିନର ବିଶେଷ ଅବକାଶ ଦିଆଯିବ। କହି ରଖୁଛୁ, କେନ୍ଦ୍ର ସରକାର ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସେଥି ମଧ୍ୟରୁ ଗୋଟିଏ ହେଲା ‘ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା’। ଏହି ଯୋଜନାରେ ଶିଶୁଙ୍କ ଜନ୍ମ ପରେ ସରକାରଙ୍କ ତରଫରୁ ଦିଆଯାଉଛି ୫୦୦୦ ଟଙ୍କାର ଅର୍ଥ ରାଶି। ଏହି ଯୋଜନା ଅଧୀନରେ ପ୍ରଥମ ଥର ଗର୍ଭଧାରଣ କରୁଥିବା କିମ୍ବା ସ୍ତନପାନ କରାଉଥିବା ମହିଳାଙ୍କୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଥାଏ।

Related posts

ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ: ସିଆଇଏଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ

mahabharatanews

ଥମୁନି ମଣିପୁର ହିଂସା : ୨୯ଟି ଅଟୋମେଟିକ୍ ଅସ୍ତ୍ର ଜବତ

mahabharatanews

ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

mahabharatanews