(ନୂଆଦିଲ୍ଲୀ): ପୂର୍ବ ଲଦାଖର ଏଲଏସିରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲଗାତର ଲାଗି ରହିଛି । ତେବେ ଏହାର ସମାଧାନ ପାଇଁ ଗୁରୁବାର ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ସୁଚନା ଅନୁଯାୟୀ, ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ କଥାବାର୍ତ୍ତା ସମୟରେ ଉଭୟ ସୀମା ବିବାଦର ଆପୋଷ ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି । ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଉଭୟ ପକ୍ଷରୁ ପଞ୍ଚସୂତ୍ରୀକୁ ସମ୍ମତି ପ୍ରକାଶ କରିଛନ୍ତି । ଏହି ଆଲୋଚନାରେ ଏଲଏସିରେ ଦେଖାଦେଇଥିବା ପରିସ୍ଥିତିରେ କାହାର ମଧ୍ୟ ଲାଭ ହେବ ନାହିଁ ବୋଲି ଉଭୟ ପକ୍ଷରୁ ମତ ରଖିଛନ୍ତି ।
ଉକ୍ତ ପଞ୍ଚସୂତ୍ରୀ ଗୁଡିକ ହେଲା, ପ୍ରଥମ ସୀମାରେ ମୁତୟନ ଉଭୟ ଦେଶର ଯବାନଙ୍କ ମଧ୍ୟରେ ନିୟମିତ ଆଲୋଚନା ଓ ଯଥାଶୀଘ୍ର ସୈନ୍ୟ ପ୍ରତ୍ୟାହାର ସହ ଉତ୍ତେଜନା ହ୍ରାସ ଲାଗି ଉପଯୁକ୍ତ ପଦକ୍ଷେପ ଅବଲମ୍ବନ କରାଯିବା ଉଚିତ୍ । ଦ୍ୱିତୀୟରେ ସୀମା ସମ୍ପର୍କରେ ଭାରତ ଓ ଚୀନ ମଧ୍ୟରେ ଥିବା ସମସ୍ତ ଚୁକ୍ତି ଓ ପ୍ରୋଟକଲକୁ ଦୁଇ ଦେଶ ସମ୍ମାନ ଦେବେ । ତୃତୀୟରେ ଉଭୟ ଦେଶ ସୀମାରେ ଶାନ୍ତି ଓ ସଦଭାବ ବଜାୟ ରଖିବେ । ଚତୁର୍ଥରେ ସୀମାକୁ ନେଇ ଥିବା ସମସ୍ତ ଦ୍ବନ୍ଦ ଦୂର ଲାଗି ସ୍ବତନ୍ତ୍ର ପ୍ରତିନିଧିଙ୍କ ମାଧ୍ୟମରେ ଆଲୋଚନା ଜାରି ରହିବ । ପଞ୍ଚମରେ ସୀମାରେ ଶାନ୍ତି ବଜାୟ ରଖିବା ଲାଗି ପରସ୍ପରର ଆସ୍ଥା ଭାଜନ ହେବା ଭଳି ପଦକ୍ଷେପ ନେବା ଉପରେ ସହମତି ପ୍ରକାଶ ପାଇଛି ।