ପଶୁଙ୍କ ସୁରକ୍ଷା, ଉଦ୍ଧାର ଓ ଚିକିତ୍ସାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପ୍ରାଣୀ ଉଦ୍ଧାର ଯାନ ତଥା ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ, ଆହତ ଓ ଅସୁସ୍ଥ ପଶୁଙ୍କୁ ଉଦ୍ଧାର କରି ଚିକିତ୍ସା କେନ୍ଦ୍ରକୁ ନେବା ସହଜ ହୋଇଛି। ତେବେ ଏହି ଉଦ୍ଧାର ବ୍ୟବସ୍ଥାରେ ଥିବା ଏକ ଛୋଟ ଅଭାବ ଏବେ ଗୁରୁତର ସମସ୍ୟାର ରୂପ ନେଇଛି। ଆମ୍ବୁଲାନ୍ସ ଓ ଉଦ୍ଧାର ଯାନ ଥିଲେ ମଧ୍ୟ ଆହତ ପଶୁଙ୍କୁ ଯାନ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଆଣିବା ପାଇଁ ଷ୍ଟ୍ରେଚର ନଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ଅସୁସ୍ଥ ପଶୁ ରାସ୍ତା ଠାରୁ ଦୂରରେ ଥିବା ଖାଲ, ଜମି, ଗଛଲତା ମଧ୍ୟରେ କିମ୍ବା ଅନ୍ୟ ଅପହଞ୍ଚ ସ୍ଥାନରେ ପଡ଼ି ରହୁଛନ୍ତି। ଏଭଳି ସ୍ଥାନକୁ ଆମ୍ବୁଲାନ୍ସ କିମ୍ବା ଉଦ୍ଧାର ଯାନ ସିଧାସଳଖ ପହଞ୍ଚିପାରୁନାହିଁ।
ଫଳରେ ଆମ୍ବୁଲାନ୍ସରେ ନିୟୋଜିତ ୩ରୁ ୪ ଜଣ କର୍ମଚାରୀଙ୍କୁ ଅତିରିକ୍ତ ଶାରୀରିକ ପରିଶ୍ରମ କରି ଆହତ ପଶୁକୁ ଟାଣି କିମ୍ବା ଘୋଷାଡ଼ି ଯାନ ନିକଟକୁ ଆଣିବାକୁ ପଡ଼ୁଛି। ଏଭଳି ଘଟଣାର ଅନେକ ନଜିର ରହିଛି। ଏହି ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ପ୍ରାଣୀ ଆମ୍ବୁଲାନ୍ସ ଓ ଉଦ୍ଧାର ଯାନରେ ଉପଯୁକ୍ତ ଆକାରର ଷ୍ଟ୍ରେଚର ରଖିବା ଜରୁରୀ ବୋଲି ପଶୁପ୍ରେମୀମାନେ ମତ ଦେଇଛନ୍ତି। ଆମ୍ବୁଲାନ୍ସ ପହଞ୍ଚିପାରୁନଥିବା ସ୍ଥାନକୁ କର୍ମଚାରୀମାନେ ଷ୍ଟ୍ରେଚର ନେଇ ପହଞ୍ଚି ଆହତ ପଶୁକୁ ସୁରକ୍ଷିତ ଭାବେ ଯାନ ପର୍ଯ୍ୟନ୍ତ ଆଣିପାରିବେ। ଏହାଦ୍ୱାରା ପଶୁଙ୍କ ଅନାବଶ୍ୟକ ଯନ୍ତ୍ରଣା କମିବା ସହ ଉଦ୍ଧାର କାର୍ଯ୍ୟ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ମାନବିକ ହୋଇପାରିବ ବୋଲି ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ କହିଛନ୍ତି।
