(ଜୟନ୍ତ କୁମାର ସେଠୀ/ପୁରୀ): ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି। ଆଜିର ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ ଜଗନ୍ନାଥଙ୍କୁ କୃଷ୍ଣ ଭାବରେ ଓ ବଳଭଦ୍ରଙ୍କୁ ବଳରାମ ଭାବରେ ସୁସଜ୍ଜିତ କରାଯାଏ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ଭିନ୍ନ ଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରନ୍ତି । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ । ରତ୍ନ ସିଂହାସନ ଉପରେ ଖଞ୍ଜା ଯାଇଥିବା ଏକ କ୍ଷୁଦ୍ର କାଷ୍ଠ ନିର୍ମିତ ତଥା ଜରି ଜମ୍ବୁରାରେ ଆଚ୍ଛାଦିତ ସିଂହାସନରେ ଚକାମୁଣ୍ଡି ପକାଇ ପ୍ରଭୁ ପଦ୍ମାସନରେ ଉପବେସନ କରନ୍ତି । ସୁଭଦ୍ରାଙ୍କ ମସ୍ତକରେ ମଧ୍ୟ ଏକ କିରୀଟ ଶୋଭାପାଏ । ସବୁ ଠାକୁରଙ୍କ କିରୀଟରେ କଦମ୍ବ ଫୁଲ ଆଉ ପତ୍ର ବହୁ ପରିମାଣରେ ଲାଗିଥାଏ । ବଳଭଦ୍ର ଓ ଜଗନ୍ନାଥଙ୍କ ଦୁଇ ପାର୍ଶ୍ୱରେ ନନ୍ଦ, ଉପନନ୍ଦ, ବସୁଦେବ, ଗୋପାଳ ବାଳକମାନେ ଗୋପୀ, ବ୍ରହ୍ମା ଇନ୍ଦ୍ର, ନାରଦ, ରୋହିଣୀ, ଯଶୋଦାଙ୍କୁ ଦଣ୍ଡାୟମାନ ଭଙ୍ଗୀରେ ରଖାଯାଏ । ମହାପ୍ରଭୁଙ୍କ ଆଗରେ ଚାରିଗୋଟି ଗାଈ ଦଣ୍ଡାୟମାନ ଭଙ୍ଗୀରେ ଠିଆ ହୋଇଥାନ୍ତି । ଏହି ବେଶ ଦ୍ୱିପ୍ରହର ଧୂପ ପରେ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ୟ୍ୟନ୍ତ ରହେ । ଏହି ବେଶରେ ଖିରି ଓ ଅମାଲୁ ଭୋଗ ଲାଗି ହୋଇଥାଏ । ରତ୍ନ ସିଂହାସନରେ ଶ୍ରୀଜୀଉଙ୍କର କୃଷ୍ଣ ବଳରାମ ବେଶ ଆକର୍ଷଣୀୟ ହୋଇଥାଏ ।
previous post