ଅହମ୍ମଦାବାଦ: ମହିଳା ହୋଇ ଦୁଷ୍କର୍ମ ପୀଡିତାର ଦୁଃଖ ବୁଝିଲେନି ମହିଳା ପୁଲିସ ଅଧିକାରୀ । ଯୌନ ଶୋଷଣ ପୀଡିତାକୁ ନ୍ୟାୟ ଦେବା ବଦଳରେ ମୋଟା ଅଙ୍କ ନେଇ ମାମଲା ରଫା ଦଫା କରିବାକୁ କରୁଥିଲେ ମସୁଧା, ଆଉ ଧରାପଡିଗଲେ କ୍ରାଇମବ୍ରାଞ୍ଚ ହାତରେ । ଘଟଣାଟି ଘଟିଛି ଗୁଜୁରାଟର ଅହମଦାବାଦରେ । ମହିଳା ପୁଲିସ ଅଧିକାରୀ ଶ୍ଵେତା ଜାଡ଼େଜା ୩୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଏବେ ସିଏ ପୁଲିସ ହେପାଜତରେ ଅଛନ୍ତି ।
ଅହମ୍ମଦାବାଦର ଏକ ଘରୋଇ କମ୍ପାନୀର ଜଣେ ଅଧିକାରୀଙ୍କ ନାମରେ ସେଠାକାର ଦୁଇଜଣ ମହିଳା କର୍ମଚାରୀ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଜଣେ ଅଧିକାରୀ ସେମାନଙ୍କୁ ବଳପୂର୍ବକ ଯୌନ ଶୋଷଣ କରିଥିବା ଅଭିଯୋଗର ତଦନ୍ତ ସାଟେଲାଇଟ୍ ଥାନାର ମହିଳା ଏସ୍ଆଇ ଶ୍ଵେତା ଜାଡ଼େଜାଙ୍କୁ ମିଳିଥିଲା । ମାମଲାରୁ ମୁକୁଳିବାକୁ ଅଧିକାରୀଙ୍କୁ ୩୫ ଲକ୍ଷ ଟଙ୍କା ଦେବାକୁ ଚାପ ପକାଇଥିଲେ। ଅଭିଯୁକ୍ତ ଅଧିକାରୀଙ୍କ ଭାଇ ମାମଲା ରଫାଦଫା କରିବାକୁ ୨୦ ଲକ୍ଷ ଟଙ୍କାରେ କଥା ଛିଡାଇଥିଲେ । ଟଙ୍କା ଶ୍ଵେତାଙ୍କର ଜଣେ ଚିହ୍ନା ଲୋକ ହାତରେ ଦିଆଯାଇଥିଲା । ଠିକ୍ ଏହି ସମୟରେ ଆଉ ଏକ ମାମଲା ମଧ୍ୟ କେନଲଙ୍କ ନାମରେ ଆସିଥିଲା । ଏହି ମାମଲାକୁ ଚାପି ଦେବା ପାଇଁ ଶ୍ଵେତା ୧୫ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ ଏସମ୍ପର୍କରେ କ୍ରାଇମବ୍ରାଞ୍ଚ ସୁରାକ ପାଇଥିଲା । ଏହି ଘଟଣାର ତଦନ୍ତ ଆରମ୍ଭ ସହ ଶ୍ଵେତାଙ୍କ ବିରୋଧରେ ଏତଲା ଦିଆଯାଇଛି । ପୁରା ଘଟଣାକ୍ରମର ତଦନ୍ତ ନିମନ୍ତେ ସ୍ବତନ୍ତ୍ର ତଦନ୍ତକାରୀ ଦଳର ଏସପି ପାହ୍ୟାର ଜଣେ ଅଧିକାରୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି ।
previous post
next post