ଅନୁଗୋଳ ଜିଲ୍ଲାବାସୀଙ୍କୁ ଆଧାର ସମ୍ବନ୍ଧୀୟ ସେବା ସହଜରେ ଯୋଗାଇବା ଉଦ୍ଦେଶ୍ୟରେ BLS ଇଣ୍ଟରନ୍ୟାସନାଲ ପକ୍ଷରୁ UIDAIର ସହଯୋଗରେ ସହରରେ ସର୍ବବୃହତ୍ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଛି। କାଲଟାକ୍ସ ଛକ ନିକଟସ୍ଥ କ୍ରେସେଣ୍ଟ କନଭେନସନର ଗ୍ରାଉଣ୍ଡ ଫ୍ଲୋରରେ ସ୍ଥାପିତ ଏହି କେନ୍ଦ୍ରକୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ଏପର୍ଯ୍ୟନ୍ତ ଆଧାର ପଞ୍ଜୀକରଣ, ସଂଶୋଧନ ଓ ବାୟୋମେଟ୍ରିକ ଅପଡେଟ୍ ପାଇଁ ଜିଲ୍ଲାବାସୀଙ୍କୁ ଭୁବନେଶ୍ୱର ଯିବାକୁ ପଡୁଥିଲା। ଏବେ ଏହି ସମସ୍ତ ସେବା ଅନୁଗୋଳରେ ହିଁ ଉପଲବ୍ଧ ହେବ।
ସପ୍ତାହର ସାତଦିନ କେନ୍ଦ୍ରଟି ଖୋଲା ରହିବା ସହ ନୂତନ ଆଧାର ପଞ୍ଜୀକରଣ, ବାୟୋମେଟ୍ରିକ ଓ ଡେମୋଗ୍ରାଫିକ ଅପଡେଟ୍, ଦଲିଲ ସଂଶୋଧନ ସମେତ ସମସ୍ତ ଆଧାର ସେବା ପ୍ରଦାନ କରାଯିବ।ନୂତନ ଆଧାର ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା ଥିବାବେଳେ ବାୟୋମେଟ୍ରିକ ଅପଡେଟ୍ ପାଇଁ ୧୨୫ ଟଙ୍କା, ଡେମୋଗ୍ରାଫିକ ଓ ଦଲିଲ ଅପଡେଟ୍ ପାଇଁ ୭୫ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି। ୫ରୁ ୧୭ ବର୍ଷ ବୟସର ପିଲାଙ୍କ ବାଧ୍ୟତାମୂଳକ ବାୟୋମେଟ୍ରିକ ଅପଡେଟ୍ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ମାଗଣାରେ କରାଯିବ। ଏହି କେନ୍ଦ୍ର ଆରମ୍ଭ ହେବା ପରେ ଜିଲ୍ଲାବାସୀଙ୍କ ସମୟ ଓ ଅର୍ଥ ସଞ୍ଚୟ ହେବା ସହ ଆଧାର ସମ୍ବନ୍ଧୀୟ ସେବା ସହଜରେ ମିଳିପାରିବ।
